ବିଜେଡିରେ ମିଶିଲେ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଶତାଧିକ କର୍ମୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଦବାକତରା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଶହେରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ ଆନୁଷ୍ଠାନିକ ଭାବେ ବିଧାୟକ ମନୋହର ରନ୍ଧାରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏଥିରେ ବିଶେଷ କରି ସରପଞ୍ଚ ନରେନ୍ଦ୍ର ଗାଦବା ଓ ସମିତି ସଭ୍ୟ ବିଶ୍ୱନାଥ ଗାଦବାଙ୍କ ସମର୍ଥକ ରହିଛନ୍ତି । ବିଧାୟକ ଶ୍ରୀ ରନ୍ଧାରି ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ । ବିଧାୟକଙ୍କ ନବରଙ୍ଗପୁର ବାସଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଫଳରେ କଂଗ୍ରେସର ଗଡ଼ କୁହାଯାଉଥିବା ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଜେଡି ଦିନକୁଦିନ ଶକ୍ତିଶାଳୀ ହେଉଥିବା ବିଧାୟକ ଶ୍ରୀ ରନ୍ଧାରୀ ପ୍ରକାଶ କରିଛନ୍ତି ।