ସରୋଜ ଭାବିଥିଲେ ମାଧୁରୀ ୧,୨,୩… ଗୀତରେ ଡ୍ୟାନ୍ସ କରିପାରିବେନି

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଗତ ଗୁରୁବାର ଆମ ଗହଣରୁ ବିଦାୟ ନେଇଛନ୍ତି। ଅଭିନେତ୍ରୀ ସାଧନାଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀ, ମାଧୁରୀ, କରିସ୍ମା ଓ କରୀନାଙ୍କ ପର୍ଯ୍ୟନ୍ତ ଏକାଧିକ ପିଢ଼ିର ନାୟିକାଙ୍କୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ। ‘ତେଜାବ’ ଫିଲ୍ମର ଲୋକପ୍ରିୟ ଗୀତ ‘୧,୨,୩…’ରେ ମାଧୁରୀଙ୍କ ମନମୋହକ ନୃତ୍ୟର କୋରିଓଗ୍ରାଫି କରିଥିଲେ ସରୋଜ। ତେବେ ଜାଣନ୍ତିକି, ମାଧୁରୀଙ୍କୁ ନିର୍ଦ୍ଦେଶନା ଦେବାବେଳେ ସରୋଜ ଭାବିଥିଲେ, ମାଧୁରୀ ଏ ଗୀତରେ ଡ୍ୟାନ୍ସ କରିପାରିବେନି। ଏକ ସାକ୍ଷାତକାରରେ ଏକଥା କହିଛନ୍ତି ମାଧୁରୀ।

ମାଧୁରୀଙ୍କ କହିବାନୁସାରେ ‘ତେଜାବ’ ପୂର୍ବରୁ ସରୋଜଙ୍କ ସହିତ ସେ ‘ଉତ୍ତର ଦକ୍ଷିଣ’ ଓ ‘ରାମ ଲଖନ’ ଫିଲ୍ମରେ କାମ କରିଥିଲେ। ତେଣୁ ସରୋଜ ଜାଣିଥିଲେ ଯେ, ମାଧୁରୀ ଭାରତୀୟ ପାରମ୍ପରିକ ନୃତ୍ୟରେ ଭଲ ପ୍ରଦର୍ଶନ କରିପାରନ୍ତି। ମାତ୍ର ୱେଷ୍ଟର୍ଣ୍ଣ ଡ୍ୟାନ୍ସ କରିପାରିବେ ନାହିଁ। ମାତ୍ର ସରୋଜଙ୍କ ଭାବନାକୁ ଭୁଲ ପ୍ରମାଣିତ କରି ମାଧୁରୀ ‘ତେଜାବ’ର ଏହି ଗୀତରେ କମାଲ କରିଦେଖାଇଥିଲେ। ମାଧୁରୀଙ୍କ କହିବାନୁସାରେ, ସରୋଜଙ୍କ ସହଯୋଗ ବ୍ୟତୀତ ଏହା ସମ୍ଭବ ହୋଇପାରିନଥାନ୍ତା। ମାଧୁରୀ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଜୀବନରେ ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ସେଥିରେ ସରୋଜଙ୍କର ଏକ ବଡ଼ ଯୋଗଦାନ ରହିଛି।