ସ୍ୱାସ୍ଥଗତ କାରଣରୁ ଶରଧାପୁର ସରପଞ୍ଚଙ୍କ ଇସ୍ତଫା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଶରଧାପୂର ପଞ୍ଚାୟତର ସରପଞ୍ଚ ରୁପୁଲି ସିହିଡ଼ିଆ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଜି ମୁନିଗୁଡ଼ା ବିଡିିଓ ପ୍ରିତମ କୁମାର ତନ୍ତିଙ୍କ ଜରିଆରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶ୍ରୀମତୀ ସିହୀଡ଼ିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨୦୦ରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ସରପଞ୍ଚ ହୋଇଥିଲେ । ଏହି ଅଳ୍ପ ସମୟ କାର୍ଯ୍ୟକାଳ ମଧ୍ୟରେ ସେ ନିଜ ପାରୁ ପର୍ଯ୍ୟନ୍ତ ସାଧାରଣ ଲୋକ ତଥା ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରି ଆସିଥିଲେ । ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ପର୍ଯ୍ୟାପ୍ତ ସମୟ ପଞ୍ଚାୟତ ପାଇଁ ଦେବାକୁ ସକ୍ଷମ ହେଲେନାହିଁ । ପଞ୍ଚାୟତର ଭବିଷ୍ୟତ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଶ୍ରେୟ ମନେକରି ଆଜି କିଛି ସମର୍ଥକଙ୍କ ସହିତ ମୁନିଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ଶରଧାପୁର ପଞ୍ଚାୟତର ଉନ୍ନୟନ ପ୍ରକ୍ରିୟାରେ କୌଣସି ବାଧା ନ ଉପୁଜୁ ଓ ସାଧାରଣ ଲୋକେ ସମସ୍ତ ସୁବିଧା ପାଆନ୍ତୁ ଏହା ହିଁ ତାଙ୍କର ଇଛା ବୋଲି ସେ କହିଥିଲେ । ଏବେ ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିଲେ ନାଏବ ସରପଞ୍ଚ ସମସ୍ତ ଦାୟିତ୍ୱ ନୂତନ ସରପଞ୍ଚ ନିର୍ବାଚିତ ହେବା ପର୍ଯ୍ୟନ୍ତ ତୁଲାଇବେ ବୋଲି ଶୁଣିବାକୁ ମିଳିଛି ।