ଚର୍ଚ୍ଚାରେ ସନାୟାଙ୍କ ବେଲି ଡାନ୍ସ

ଭୁବନେଶ୍ୱର,ଏନ୍,ନ୍ଏସ୍ : ଗତ କିଛି ବର୍ଷ ଧରି ବଲିଉଡରେ ଷ୍ଟାରକିଡସ ଅର୍ଥାତ ଫିଲ୍ମ ଷ୍ଟାରଙ୍କ ପୁଅଝିଅମାନଙ୍କ କ୍ରେଜ ଦେଖିବାକୁ ମିଳିଛି। ସୈଫ ଅଲ୍ଲୀ ଖାନ-ଅମ୍ରିତା ସିଂହଙ୍କ କନ୍ୟା ସାରା, ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ପ୍ରମୁଖ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ଅଭିନେତା ସନ୍ନି ଦେଓଲଙ୍କ ପୁତ୍ର କରନଙ୍କ ଫିଲ୍ମ ‘ପଲ ପଲ ଦିଲକେ ପାସ’ ରିଲିଜ ହୋଇଛି ନିକଟରେ। ଏମାନଙ୍କ ବ୍ୟତୀତ ଆହୁରି ଏକାଧିକ ଷ୍ଟାରକିଡ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। କିଏ ଆକ୍ଟିଂ ପାଇଁ ତ ଆଉ କିଏ ସୋସିଆଲ ମିଡିଆରେ ଫଟୋ, ଭିଡିଓ ସେୟାର କରି ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିବାରେ ଲାଗିଛନ୍ତି। ଏ ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ତାରକା ସନ୍ତାନ ସନାୟା କପୁର। ସନାୟା ଅଭିନେତା ସଞ୍ଜୟ କପୁରଙ୍କ ଝିଅ। ସନାୟାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏଥିରେ ସନାୟା ଜବରଦସ୍ତ ଅନ୍ଦାଜରେ ବେଲି ଡାନ୍ସ କରୁଥିବା ଦେଖିବାକୁ ମିଳୁଛି। ସନାୟାଙ୍କ ମୁଭ ଆଉ ଡ୍ୟାନ୍ସ ଷ୍ଟେପ ଦେଖିବା ଭଳି ହୋଇଛି। ସନାୟାଙ୍କର ଏହି ଡାନ୍ସ ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ତାଙ୍କର ବେଲି ଡାନ୍ସ ଟିଚର ସଞ୍ଜନା ମୁଥରେଜା। ଏ ଭିଡିଓଟିକୁ ବାଦ ଦେଲେ ସଞ୍ଜନା, ସନାୟାଙ୍କର ଆଉ ଏକ ଭିଡିଓ ବି ପୋଷ୍ଟ କରିଛନ୍ତି, ଯେଉଁଥିରେ ସନାୟା ଚଟାଣରେ ବସି ଡାନ୍ସ କରୁଛନ୍ତି। ଶାହରୁଖ ଖାନଙ୍କ ଝିଅ ସୁହାନା ମଧ୍ୟ ସନାୟାଙ୍କ ସହିତ ମିଶି ଡାନ୍ସ ଶିଖିଛନ୍ତି ମାତ୍ର ପାଠପଢ଼ା ଶେଷ କରିବା ପାଇଁ ତାଙ୍କୁ ନ୍ୟୁୟର୍କ ଯିବାକୁ ପଡ଼ିଛି। ଅଭିନେତ୍ରୀ ଜାହ୍ନବୀ ମଧ୍ୟ ସଞ୍ଜନା ମୁଥ୍ରେଜାଙ୍କଠାରୁ ବେଲି ଡାନ୍ସ ଶିକ୍ଷା କରିଛନ୍ତି। ସୁହାନା, ଅନନ୍ୟା ପାଣ୍ଡେ ଓ ସନାୟାଙ୍କ ମଧ୍ୟରେ ଖୁବ ବଢ଼ିଆ ବନ୍ଧୁତା ରହିଛି। ସୁହାନା ତ ପାଠ ପଢ଼ିବାକୁ ଯାଇଛନ୍ତି। ଅନନ୍ୟା ଫିଲ୍ମରେ ଅଭିନୟ ଆରମ୍ଭ କରିସାରିଲେଣି। ସନାୟା କେବେ ଆସୁଛନ୍ତି ରୁପେଲି ପର୍ଦ୍ଦାକୁ; ଦେଖିବା ବାକି ରହିଲା।