ଅବୈଧ ପ୍ରେମ ସମ୍ପର୍କକୁ ନେଇ ସଙ୍କୀର୍ତ୍ତନ ଗୁରୁଙ୍କୁ ହତ୍ୟା, ୩ ଅଭିଯୁକ୍ତ ଅଟକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: କୁଣ୍ଢେଇଗୋଳା ଥାନା ବୁଢ଼ାପାଳ ଫାଣ୍ଡି ଅନ୍ତର୍ଗତ ଠିଆନାଳ ଗ୍ରାମରେ ଅବୈଧ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଅପିନ୍ଦ୍ର ବାଘ । ଗତକାଲି ରାତିରେ ଠିଆନାଳ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୁଲିସ ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଅଟକ ରଖି ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନେ ହେଲେ ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜାଙ୍ଗ ଗ୍ରାମର ବାପ ଲଳିତ ପ୍ରଧାନ, ପୁଅ ନାଳୁ ପ୍ରଧାନ ଓ ସମ୍ପର୍କୀୟ ଲୁଲୁ ପ୍ରଧାନ ।

ସୂଚନାଯୋଗ୍ୟ, ମୃତକ ଅପିନ୍ଦ୍ର ବାଘ ଅଞ୍ଚଳରେ ସଙ୍କୀର୍ତ୍ତନ ଗୁରୁ ଭାବେ ବେଶ୍ ଜଣାଶୁଣା ଥିଲେ । ଅଭିଯୁକ୍ତ ଲଳିତର ସ୍ତ୍ରୀ ସହ ମୃତକ ଅପିନ୍ଦ୍ରଙ୍କ ଅବୈଧ ପ୍ରେମ ସମ୍ପର୍କ ଥିଲା ଏବଂ ପ୍ରାୟ ୩ମାସ ପୂର୍ବେ ଲଳିତଙ୍କ ସ୍ତ୍ରୀ ଘର ଛାଡ଼ି ଅପିନ୍ଦ୍ରଙ୍କ ସହ ରହୁଥିଲେ । କିଛିଦିନ ପରେ ନିଜ ଘରକୁ ଫେରିଥିବା ଲଳିତଙ୍କ ସ୍ତ୍ରୀ ପୁଣି ଘର ଛାଡ଼ି ଚାଲି ଯାଇଥିଲେ । ଏହା ପଛରେ ଅପିନ୍ଦ୍ର ଥିବା ସନ୍ଦେହ କରି ଗତକାଲି ଅଭିଯୁକ୍ତମାନେ ତାଙ୍କୁ କଥାବାର୍ତ୍ତା ହେବା ଆଳରେ କେନ୍ଦୁପତ୍ର ଫଡ଼ି ନିକଟକୁ ଡାକି ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।