ଇନ୍ଦ୍ରପ୍ରସ୍ଥର ସଞ୍ଜୟ

ସଞ୍ଜୟ ସିଂ(ଆପ୍ ସାଂସଦ)

ଜୀବନର ଗତିପଥ ବେଳେବେଳେ ବାଟ ଭାଙ୍ଗି ଏମିତି ରାସ୍ତାରେ ଚାଲିଯାଏ, ସମୟ କରେ ତାହାର ମୂଲ୍ୟାଙ୍କନ । ଭଲ ଓ ମନ୍ଦର ଦସ୍ତାବିଜ ଲେଖିଦେଇ କାହାକୁ କାଳଜୟୀ କରିଦିଏ ତ, କାହାକୁ କାଳର ଗର୍ଭରେ ଲୀନ କରିଦିଏ । କିଏ ପଙ୍କରୁ ପଦ୍ମ ହୋଇ ଫୁଟେ ତ, କିଏ ପଦ୍ମ ଥାଇ ବି ପଙ୍କରେ ଲୀନ ହୋଇଯାଏ । କାହାର ନିୟତ କାହା କପାଳରେ କେମିତି ଲେଖାଥାଏ, ତାହା ନିର୍ଘଣ୍ଟ ହୋଇସାରିଥାଏ ବହୁ ପୂର୍ବରୁ ମଣିଷର ଜନ୍ମ ଜାତକରେ । କୀର୍ତ୍ତି ହେଉକି କଳଙ୍କ ପ୍ରତ୍ୟେକ ମଣିଷର ବିଜୟ ତିଳକ ଭଳି ଶୋଭା ପାଉଥାଏ ତାର କଲାକର୍ମକୁ ନେଇ । ସେମିତି ଜଣେ ବ୍ୟକ୍ତିତ୍ୱ ହେଲେ ଆପ୍ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ । ଛାତ୍ର ଜୀବନରୁ ବିଭିନ୍ନ ସାମାଜିକ କାମ ସହିତ ଜଡ଼ିତ ରହି ସମାଜର ପରିବର୍ତ୍ତନ ପାଇଁ ଅନେକ ଥର ନିଜର ଶାଣିତ ସ୍ୱର ମାଧ୍ୟମରେ ହକ୍ ମାଗି ବି ରାଜନୀତି ସହିତ ପ୍ରତ୍ୟେକ୍ଷ ଭାବରେ ଜଡ଼ିତ ହୋଇଯାଇଛନ୍ତି । ଆନ୍ନା ହଜାରେଙ୍କ ସହ ମିଶି ଆନ୍ଦୋଳନ କରିବା ଠାରୁ ପୁଣି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲଙ୍କ ସହ ମିଶି ରାଜନୈତିକ ଦଳ ଆପ୍ ଗଠନ କରିବା ଓ ଲକ୍ଷ୍ୟର ତୀରନ୍ଦାଜରେ ସଫଳ ହେବା ତାହା ପୁଣି ଦେଶର ରାଜଧାନୀ ଦିଲ୍ଲୀ ଭଳି ଜାଗାରେ ସଂଖ୍ୟାଗରିଷ୍ଠତା ନେଇ ସରକାର ଗଠନ କରିବା କମ୍ ବଡ଼ କଥା ନୁହେଁ । ସଞ୍ଜୟ ସିଂ ଆପର ଜଣେ ପ୍ରଭାବଶାଳୀ ନେତା ତଥା ରାଜ୍ୟସଭା ସଦସ୍ୟ, ଏଥିରେ କିଛି ଦ୍ୱି-ମତ ନାହିଁ । ବଡ଼କଥା ହେଲା ଓଡ଼ିଶାରେ ତାଙ୍କର ଛାତ୍ରଜୀବନ, ପାଠପଢ଼ା ବେଶ୍ କିଛି ବର୍ଷ ଧରି ଚଳଚଞ୍ଚଳ ରହିଥିଲା । ଉତ୍ତରପ୍ରଦେଶ ବାସିନ୍ଦା ହେଲେ ବି ଯେମିତି ଭାବରେ ଓଡ଼ିଆ କୁହନ୍ତି, ଲାଗେ ସତେ ଯେମିତି ଓଡ଼ିଶାର ମୂଳବାସିନ୍ଦା । ସେ ଓଡ଼ିଶା ଆସିଥିବା ଅବସରରେ ନିତିଦିନ ପକ୍ଷରୁ ସ୍ୱତନ୍ତ୍ର ସାକ୍ଷାତକାର ।

୧-ଆପଣଙ୍କ ରାଜନୈତିକ କ୍ୟାରିୟର କେମିତି ଆରମ୍ଭ ହୋଇଥିଲା?
ଉ-ମୁଁ ୧୯୮୮ରୁ ୧୯୯୧ ପର୍ଯ୍ୟନ୍ତ କେନ୍ଦୁଝରରେ ରହି ପାଠ ପଢ଼ୁଥିଲି । ଏହି ସମୟରେ କିଛି କିଛି ସାମାଜିକ କାମ ମଧ୍ୟ ଏଠାରେ କରୁଥିଲି। ପରେ ଉତ୍ତରପ୍ରଦେଶରେ ଏକ ସାମାଜିକ ସଂଗଠନ କରି ଲୋକଙ୍କ ସହିତ ବିଭିନ୍ନ ସାମାଜିକ କାମରେ ନିୟୋଜିତ ହେଉଥିଲୁ । ହକରମାନଙ୍କ ନ୍ୟାଯ୍ୟ ଦାବି ପାଇଁ ୧୬ବର୍ଷ କାମ କରିଥିଲି । ଆନ୍ନା ହଜାରେଙ୍କ ସହ ମିଶି ଦୁର୍ନୀତି ବିରୋଧରେ ସଂଗ୍ରାମ କରିଥିଲି । ଅରବିନ୍ଦ କେଜିରିୱାଲଙ୍କ ସହ ୨୦୦୬ରୁ ମିଶି ବିଭିନ୍ନ କାମ କରିବା ସହ ୨୦୧୨ରେ ରାଜନୈତିକ ଭାବେ ଆପ୍ ଦଳ ଗଠନ କରି ଆଜିଦିନ ଯାଏ କାମ କରିଆସୁଛୁ ।

୨-ବିଭିନ୍ନ ରାଜନୈତିକ ଦଳ ଥିବା ବେଳେ କାହିଁକି ଆପକୁ ଆପଣ ପସନ୍ଦ କଲେ?
ଉ-ବିଭିନ୍ନ ଦଳ ସେମାନଙ୍କର ଆଦର୍ଶକୁ ନେଇ ଲକ୍ଷ୍ୟସାଧନ କରୁଥିବା ବେଳେ ଆପ୍ ସବୁବେଳେ ଲୋକଙ୍କ ସହିତ ରହି ଲୋକଙ୍କ କାମ କରିବାକୁ ପସନ୍ଦ କରେ । ଆପ ତ ଆମେ ମିଶି ଗଠନ କରିଛୁ, ତେଣୁ ଅନ୍ୟ ଦଳରେ ଯୋଗ ଦେବାର ପ୍ରଶ୍ନ ଉଠୁଛି କେଉଁଠି । କଂଗ୍ରେସ ସରକାର ଯେତେବେଳେ ଲୋକପାଳ ବିଲ୍କୁ ନେଇ ଦ୍ୱିଧା ପ୍ରକାଶ କରିଥିଲା, ଆମେ ରାଜନୈତିକ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲୁ ।

୩-ନିକଟରେ ଯାଇଥିବା ନିର୍ବାଚନରେ ଆମ ଆଦମୀ ପାର୍ଟି ଦିଲ୍ଲୀରେ ଆଶାତୀତ ଭାବରେ ସିଟ୍ ପାଇ ବିଜୟ ଲାଭ କରିଥିଲା, କେଉଁ ଆଧାରରେ ଏଥର ନିର୍ବାଚନ ଲଢ଼ିଥିଲେ?
ଉ-ଦିଲ୍ଲୀକୁ ଦଖଲ କରିବାକୁ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳ କଳେ ବଳେ କୌଶଳେ ଗାଦି ହାତେଇବା ପାଇଁ ଚେଷ୍ଟା କରିଥିଲା । ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଠାରୁ ଆରମ୍ଭ କରି ଶହ ଶହ ନେତା ସେମାନଙ୍କର ତାକତ ଲଗାଇଥିଲେ ଓ ସାଂପ୍ରଦାୟିକ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିଲେ । ଆମେ କିନ୍ତୁ ପୂର୍ବ ପାଞ୍ଚବର୍ଷରେ ବିଜୁଳି, ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନକୁ ନେଇ ଯେଭଳି ଭାବରେ ଉଲ୍ଲେଖନୀୟ କାମ କରିଥିଲୁ, ତା ଉପରେ ଆମେ ଗୁରୁତ୍ୱ ଦେଇ ଲୋକଙ୍କୁ ବୁଝେଇଥିଲୁ । ଲୋକ ଦେଖିଥିଲେ ଆମ ପୂର୍ବ ପାଞ୍ଚ ବର୍ଷର କାମ, ସେଥିପାଇଁ ସେମାନେ ଆମ୍ ଆଦମୀକୁ ହିଁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବାକୁ ଚାହିଁଲେ । ସେମାନଙ୍କର ବିପୁଳ ସମର୍ଥନ ଆମକୁ ପୁଣି ପାଞ୍ଚବର୍ଷ କ୍ଷମତାରେ ରହିବାକୁ ଦେଲା ।

୪-ଅନେକ ଲୋକ ଆଲୋଚନା କରୁଛନ୍ତି କଂଗ୍ରେସ ନିଜର ସତ୍ତାକୁ ଆମ୍ ଆଦମୀରେ ବିଜେପି ଉପରେ ପ୍ରତିଶୋଧ ନେବାକୁ ମିଶେଇଦେଲା, ଏହା ପଛରେ ସତ୍ୟତା କଣ ?
ଉ-ଲୋକ ଆଜିକାଲି କେହି ନିର୍ବୁଦ୍ଧିଆ ନାହାନ୍ତି । ସେମାନଙ୍କର ବିଚାର କରିବାର କ୍ଷମତା ରହିଛି । ସେମାନେ ବି ବୁଝୁଛନ୍ତି ଭଲ କଣ, ମନ୍ଦ କଣ । କେଉଁ ସରକାର ଶାସନ କ୍ଷମତାରେ ରହିଲେ କି କାମ କରିପାରିବ, ତାହା ତର୍ଜମା କରିବାକୁ ସେମାନଙ୍କର ବିବେକ ଓ ଜ୍ଞାନ ମଧ୍ୟ ରହିଛି । ଗଣାତାନ୍ତ୍ରିକ ବ୍ୟବସ୍ଥାରେ କାହା କଥାରେ ଲକ୍ଷ ଲକ୍ଷ ଲୋକମାନେ ଭଳି ଯିବେ ବା ମତ ପରିବର୍ତ୍ତନ କରିଦେବେ ବୋଲି ଭାବୁଛନ୍ତି କି ? ଅଧିକ ଶିକ୍ଷିତ ଥିବା ଦିଲ୍ଲୀ ଭଳି ସ୍ଥାନରେ ଲୋକ କାହା କଥାରେ ଆଉ କାହାକୁ ଭୋଟ ଦେଇଦେବା ଜମା ଯୁକ୍ତିକର କଥା ନୁହେଁ । ବରଂ ଏଇଆ କହିହେବ, ଦିଲ୍ଲୀରେ ରାଜନୈତିକ ସଚେତନତା ଖୁବ୍ ଅଧିକ । ଏହା ପରାଜୟ ବରଣ କରିଥିବା ଦଳର ଅପପ୍ରଚାର ବ୍ୟତୀତ ଆଉ କିଛି ନୁହେଁ ।

୫-ଶାହୀନବାଗରେ ଚାଲିଥିବା ଧାରଣା ଓ ସିଏଏକୁ ନେଇ ଦିଲ୍ଲୀରେ ତେଜିଥିବା ଆନ୍ଦୋଳନ ପ୍ରତି ଆମ ଆଦମୀ ନିରବ କାହିଁକି? ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଆପ୍ର କର୍ତ୍ତବ୍ୟ ନୁହେଁ କି ?
ଉ-ଆଇନ କେନ୍ଦ୍ର ଆଣିଥିଲା, ତେଣୁ କେନ୍ଦ୍ର ଆନ୍ଦୋଳନକୁ ବନ୍ଦ କରିବାକୁ ଆଇନର ସଂସ୍କାର ଦରକାର କି ଦମନ କରିବାକୁ ଲ ଆଣ୍ଡ ଅର୍ଡର ଦରକାର, ତାହା ସେମାନେ କରିବା ଦରକାର । କାରଣ ସେମାନଙ୍କ ହାତରେ କ୍ଷମତା ରହିଛି । କିନ୍ତୁ ଆଜିଦିନ ଯାଏ ବି ସେମାନଙ୍କ ତରଫରୁ କୌଣସି ପ୍ରୟାସ କରାଯାଇନାହିଁ କି ଶାହୀନବାଗକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଦିନଟିଏ ବି ଯାଇନାହାନ୍ତି । ସେମାନେ ବରଂ ଏହି ଶାହୀନବାଗ ଓ ସିଏଏକୁ ଆଳ କରି ଇସ୍ୟୁ କରିବା ସହ ଫାଇଦା ନେବାକୁ ଚାହୁଁଛନ୍ତି । ଯେଉଁ ନାଗରିକତା ଆଇନ ଅଣାଗଲା, ସେଥିରେ କଣ ଭଲ କି ଖରାପ ରହିଛି, ତାହାର ତର୍ଜମା କରି ପରିବର୍ତ୍ତନ କରିବା ଦରକାର । ଯଦି ଲୋକଙ୍କ ଭଲ ପାଇଁ କରାଯାଇଥିବା ଆଇନକୁ ଲୋକେ ଗ୍ରହଣ କରୁନାହାନ୍ତି, ତାହେଲେ ସେହି ଆଇନର ସଂସ୍କାର ଅଣାଯିବା ଦରକାର । ଆମ୍ ଆଦମୀ ନିଜର କ୍ଷମତାନୁସାରେ ନିଜର କର୍ତ୍ତବ୍ୟ କରିଚାଲିବା ସହ କିଭଳି ଶାନ୍ତି ପ୍ରତିଷ୍ଠା ହୋଇପାରିବ, ସେ ଦିଗରେ ସବୁବେଳେ ଦୃଷ୍ଟି ଦେଇଆସିଛି ।

୬-ଶାହୀନବାଗ ଓ ସିଏଏକୁ ନେଇ ଆପ୍ର ଦୃଷ୍ଟିଭଙ୍ଗୀ କଣ ରହିବ?
ଉ-ବାବା ସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନର ମୂଳନୀତିକୁ ସିଏଏ ବିରୋଧ କରୁଥିବା କାରଣରୁ ଆମ୍ ଆଦମୀ ମୂଳରୁ ହିଁ ସିଏଏକୁ ବିରୋଧ କରିଆସିଛି । ଜାତିର ପିତା ମହାତ୍ମାଗାନ୍ଧୀ ଯେଉଁ ନୀତିଆଦର୍ଶରେ ଭାରତର ଭାତୃତ୍ୱ ଓ ଭାଇଚାରା ପ୍ରତିଷ୍ଠା କରିଥିଲେ, ଯେଉଁ ସଦ୍ଭାବନା ନେଇ କାମ କରିଥିଲେ, ସେହି ନୀତିର ବିରୋଧ ବି କରୁଛି ଏହି ନାଗରିକତା ସଂଶୋଧନ ଆଇନ । ଏଣୁ ଆମ୍ ଆଦମୀ ଏହି ଆଇନ ସହିତ ଜମାରୁ ଏକମତ ନୁହେଁ । ଆମ୍ ଆଦମୀ ଧର୍ମ, ସଂପ୍ରଦାୟକୁ ନେଇ ରାଜନୀତି କରିବାର ଲକ୍ଷ୍ୟ ରଖିନାହିଁ ବରଂ ଦେଶର ଜନତାଙ୍କ ସହ ସମଭାବାପନ୍ନ ଭାବରେ ସାଥ୍ ଦେବାକୁ ଅଣ୍ଟା ଭିଡ଼ିଛି । କଥାରେ ନୁହେଁ କାମରେ କରି ଦେଖାଇ ଦେଇ ପାରିଛି । ଲୋକଙ୍କର ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିକାଶର କଥା ସବୁବେଳେ ଭାବି ଆସିଛି ।

୭-ଆମ୍ ଆଦମୀର କାର୍ଯ୍ୟକୁ ଦେଖି ପୁଣି ଶାସନ କ୍ଷମତାକୁ ଜନସାଧାରଣ ଫେରାଇ ଆଣିଛନ୍ତି, ଆଗାମୀ ପାଞ୍ଚବର୍ଷର ଇସ୍ତାହାର କଣ ରଖିଛନ୍ତି?
ଉ- ଆଗାମୀ ପାଞ୍ଚବର୍ଷ ଦିଲ୍ଲୀର ପ୍ରଦୂଷଣ, ଟ୍ରାଫିକ୍ ପାଇଁ କାମ କରିବା ସହ ଯମୁନା ନଦୀର ସଫେଇ ପାଇଁ କାମ କରିବାକୁ ଲକ୍ଷ୍ୟ ରଖିଛୁ । ଦିଲ୍ଲୀରେ ବର୍ତ୍ତମାନ ଯେଭଳି ଭାବରେ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଇଛି, ତାହାକୁ ଆଖି ଆଗରେ ରଖି ବିଗତଦିନ ମାନଙ୍କରେ ଅନେକ ପଦକ୍ଷେପ ନିଆଯାଇଥିଲା । ଏହାକୁ ଆହୁରି ବ୍ୟାପକ କରି କିଭଳି ଭାବରେ ସ୍ଥାୟୀ ସମାଧାନ କରିହେବ, ତାହାର ବ୍ୟବସ୍ଥା କରାଯିବ । ଏତଦ୍ ବ୍ୟତୀତ ଯେଭଳି ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଜୁଳି, ଗମନାଗମନକୁ ଗୁରୁତ୍ୱ ଦେଇ ସଫଳତା ମିଳିଥିଲା, ତାହାକୁ ମଧ୍ୟ ଆହୁରି ଉନ୍ନତମାନର କରି ଲୋକଙ୍କ ସେବାରେ ଲଗାଇବୁ ବୋଲି ଲକ୍ଷ୍ୟ ରଖିଛୁ ।

୮- ବ୍ୟକ୍ତିଗତ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ସେମିତି କିଛି ପୂର୍ବ ଯୋଜନା ରଖିଥିଲେ କି ?
ଉ- ନା, ସେମିତି କିଛି ଲକ୍ଷ୍ୟ ରଖି ରାଜନୀତିକୁ ଆସିନାହିଁ । ଲୋକଙ୍କ ସେବା ବିଭିନ୍ନ ସଂଗଠନ ମାଧ୍ୟମରେ କରୁଥିଲି । ଲୋକଙ୍କ ଦାବି ନେଇ ଅନେକ ସମୟରେ ଆନ୍ଦୋଳନ ମଧ୍ୟ କରୁଥିଲି । ଯେତେବେଳେ ଲୋକଙ୍କର ଅଧିକ ସେବା କରିବାକୁ ମାଧ୍ୟମ ଦରକାର ପଡ଼ିଲା ଓ ୨୦୧୧ ପରେ କେଜିରିୱାଲଙ୍କ ସହ ମିଶି ଆମ ଆଦମୀ ଗଠନ କଲୁ, ସେତେବେଳେ ରାଜନୀତି ସହିତ ଜୀବନ ପୂର୍ଣ୍ଣକାଳୀନ ଭାବରେ ରହିଗଲା ।

୯-ଓଡ଼ିଶାରେ ଚାହିଁଥିଲେ ରାଜନୀତି କରି ପାରିଥାନ୍ତେ, କାହିଁକି ଚାହିଁଲେନି ?
ଉ-ଆବଶ୍ୟକତା ଦୃଷ୍ଟିରୁ ଦିଲ୍ଲୀରେ ସିନା ଆମ୍ ଆଦମୀ ନିର୍ବାଚନ ଲଢ଼ିଲା ଓ ଆଶାଜନକ ଭାବରେ ଜିତିଲା କିନ୍ତୁ ଓଡ଼ିଶା ସମେତ ସବୁ ରାଜ୍ୟରେ ଆମ୍ ଆଦମୀର ସଂଗଠନ ରହିଛି । ଆଗାମୀ ଦିନରେ ଆମ୍ ଆଦମୀ ସବୁ ରାଜ୍ୟରେ ସକ୍ରିୟ ରାଜନୀତିରେ ସାମିଲ ହେବ । ଓଡ଼ିଶାରେ ତ ଆମର କର୍ମକର୍ତ୍ତାମାନେ ପ୍ରତ୍ୟେକ୍ଷ ଭାବରେ ରାଜନୀତିରେ ସାମିଲ ଅଛନ୍ତି, ଆଗକୁ ଅଧିକ ସଂପ୍ରସାରଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।

୧୦-ସମସ୍ତେ ଆଶା କରୁଥିଲେ ଆମ୍ ଆଦମୀ ଓଡ଼ିଶାରେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଦେବ କିନ୍ତୁ କାହିଁକି ପ୍ରାର୍ଥୀ ଦେଲେ ନାହିଁ ?
ଉ- ଆମେ ଦିଲ୍ଲୀ ନିର୍ବାଚନକୁ ଗୁରୁତ୍ୱ ଦେଇଥିଲୁ । ସେଥିପାଇଁ ଆମେ ଅନ୍ୟ ରାଜ୍ୟରେ ପ୍ରାର୍ଥୀ ଦେଇ ପାରି ନଥିଲୁ । ଦିଲ୍ଲୀ ନିର୍ବାଚନ ସରି ଯାଇଥିବାରୁ ଆମେ ସବୁ ରାଜ୍ୟରେ ପ୍ରାର୍ଥୀ ଦେବା କଥା ଚିନ୍ତା କରିଛୁ । ଓଡ଼ିଶାରେ ମଧ୍ୟ ଆଗକୁ ଆସୁଥିବା ମୁନିସିପାଲିଟି ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛୁ ।

୧୧-ଦିଲ୍ଲୀ ପରେ ଅନ୍ୟରାଜ୍ୟରେ ପ୍ରଭାବ ବିସ୍ତାର ପାଇଁ କିଭଳି ଭାବରେ ରାଜନୈତିକ ରଣକୌଶଳ ନେଇଛନ୍ତି ?
ଉ- ଆମେ ଦିଲ୍ଲୀ ମଡ଼େଲକୁ ସବୁଆଡ଼େ ପ୍ରୟୋଗ କରିବାକୁ ଚାହୁଁଛୁ । ଦିଲ୍ଲୀରେ ଯେମିତି ବିକାଶକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଲୋକଙ୍କୁ ସହଜ ଓ ସୁବିଧାରେ ପାଣି, ବିଜୁଳି, ଶିକ୍ଷା ଆଦିକୁ ଉପଲବ୍ଧ କରାଇ ପାରିଛୁ, ଅନ୍ୟ ରାଜ୍ୟରେ ମଧ୍ୟ ସେମିତି ମଡ଼େଲ ତିଆରି କରିବାର ଲକ୍ଷ୍ୟ ନେଇଛୁ । ଲୋକଙ୍କ ନିକଟତର ହେବାକୁ ହେଲେ ଲୋକଙ୍କ ସୁଖଦୁଃଖରେ ରହିବାକୁ ପଡ଼ିବ। ସେମାନଙ୍କର ଥିବା ସମସ୍ୟାକୁ ସମାଧାନ କରିବାକୁ ହେବ । କ୍ଷମତା ନୁହେଁ ସେବାକୁ ହିଁ ଗୁରୁତ୍ୱ ଦେବାକୁ ପଡ଼ିବ । ଯଦି ଜନ ପ୍ରତିନିଧିଟିଏ ଲୋକଙ୍କ ପାଦ ସହିତ ପାଦ ମିଳାଇ ଚାଲିପାରିଲା ନାହିଁ କି ଲୋକଙ୍କ ଅସୁବିଧା ସମୟରେ ଛିଡ଼ା ହୋଇପାରିଲା ନାହିଁ , ତାହେଲେ ଲୋକମାନେ ଯେଉଁଥି ପାଇଁ ଜନପ୍ରତିନିଧି ବାଛିଥିଲେ, ତାହାର ଲାଭ କଣ ରହିଲା । ସେଥିପାଇଁ ଆମେ ଦିଲ୍ଲୀ ଭଳି ଅନ୍ୟରାଜ୍ୟରେ ଲୋକଙ୍କ ସମସ୍ୟା ଓ ଏହାର ସମାଧାନକୁ ଆଖି ଆଗରେ ରଖି ରାଜନୈତିକ ମୈଦାନକୁ ଓହ୍ଲାଇବୁ।

୧୨-ଆଗାମୀ ନିର୍ବାଚନରେ ପଞ୍ଚାୟତ ସ୍ତରରୁ ପୁଣି ଲୋକସଭା ଯାଏଁ ଓଡ଼ିଶାରେ ପ୍ରାର୍ଥୀ ଦେବାକୁ ଆମ୍ ଆଦମୀ ସ୍ଥିର କରିବ କି ?
ଉ-ସେ ବାବଦରେ ଏବେ କିଛି କହିବାର ସମୟ ଆସିନାହିଁ । ଆମେ ପ୍ରଥମେ ମୁନିସିପାଲିଟି ନିର୍ବାଚନରେ ପ୍ରାର୍ଥୀଦେବାକୁ ସ୍ଥିର କରିଛୁ । ପରେ ସେ ବାବଦରେ କାର୍ଯ୍ୟପନ୍ଥା ସ୍ଥିର କରିବୁ ।

୧୩-ଓଡ଼ିଶାରେ ଆମ ଆଦମୀର ବିସ୍ତାର କରିବାକୁ କିଭଳି ସବୁ ପଦକ୍ଷେପ ନେଇଛି?
ଉ-ଆମେ ଏବେ ସଭ୍ୟ ସଂଗ୍ରହ କରିବା କାମରେ ଲାଗିଛୁ । ୨ଲକ୍ଷ ଭଲ ସଭ୍ୟଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । ବୁଥ୍ ସ୍ତରରୁ ସଚେତନତା ସୃଷ୍ଟି କରି ଲୋକଙ୍କୁ ଆମ୍ ଆଦମୀରେ ସାମିଲ କରାଇବାର ପ୍ରୟାସ ଜାରି ହୋଇଛି । ଭଲ ଭାବରେ ସଂଗଠନକୁ ମଜଭୁତ କରିବାକୁ ମଧ୍ୟ ଚେଷ୍ଟା ଜାରି ରହିଛି । ଆଗାମୀ ଦିନରେ ଓଡ଼ିଶାରେ ଆମ୍ ଆଦମୀ ନିଶ୍ଚିତ ଭାବରେ ଶୃଙ୍ଖଳିତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ।

୧୪-ଓଡ଼ିଶାରେ ଆମ୍ ଆଦମୀ କାହିଁକି ମୁଣ୍ଡ ଟେକି ପାରୁନାହିଁ ?
ଉ-ଆମର ଓଡ଼ିଶାରେ ସଂଗଠନ ଅଛି, କାର୍ଯ୍ୟକର୍ତ୍ତା ରହିଛନ୍ତି । ଏମିତି ବି ପ୍ରତ୍ୟେକ ଜିଲ୍ଲାରେ ଆମର କମିଟି ରହିଛି । ଦିଲ୍ଲୀ ନିର୍ବାଚନ ପାଇଁ ସେତେଟା ଫୋକସ୍ ଦେଇ ହୋଇ ନଥିଲା, ଆମେ ଏବେ ତାହାକୁ ଗୁରୁତ୍ୱ ଦେଉଛୁ ।

୧୫-ଆମ୍ ଆଦମୀ ଯେଭଳି ଭାବରେ ସଂଖ୍ୟା ଗରିଷ୍ଠତା ପାଇଲା, କେନ୍ଦ୍ରଶାସିତ ନହୋଇ ରାଜ୍ୟ ହୋଇଥିଲେ ଅଧିକ କାମ କରିପାରିଥାନ୍ତେ କି ?
ଉ-ନିଶ୍ଚିତ ଭାବରେ ବହୁତ ଅଧିକ କାମ କରିପାରିଥାନ୍ତୁ । ଆମ ପାଖରେ ଲ ଆଣ୍ଡ ଅର୍ଡ଼ର ନାହିଁ, ଭିତ୍ତିଭୂମି ନାହିଁ, ଏମିତି ଅନେକ କିଛି ରହିଛି, ଯାହା କେନ୍ଦ୍ର ହାତରେ ରହିଛି । ସେଥିପାଇଁ ଆମେ ଯେତିକି ପାରିବା କଥା ସେତିକି ପାରୁନାହୁଁ ।

୧୬-ପ୍ରଥମେ ଯେତେବେଳେ ଆମ୍ ଆଦମୀ ଆସିଥିଲା, ସବୁ ଭାବୁଥିଲେ ଶିକ୍ଷିତ ଲୋକମାନେ କେବଳ ସାମିଲ ହୋଇପାରିବେ, କିନ୍ତୁ ଏଥିରେ ଫଳାଫଳ ନିଶ୍ଚିତ କରିଦେଲା ଯେ ସବୁବର୍ଗର ଲୋକମାନେ ଆପ୍କୁ ସମର୍ଥନ କରିଛନ୍ତି । କିଭଳି ସମ୍ଭବ ହୋଇପାରିଲା ?
ଉ-ଆମେ କାମକୁ ସବୁବେଳେ ବିଶ୍ୱାସ କରୁ, ଯେଉଁଥିପାଇଁ ସବୁବର୍ଗର ଲୋକେ ପସନ୍ଦ କଲେ ।

୧୭-ରାଜନୈତିକ ଦଳଟିଏ ଚଳାଇବାକୁ ଅନେକ ଅର୍ଥ ଆବଶ୍ୟକ ପଡ଼େ, ଏହାକୁ କିଭଳି ବିଶ୍ୱାସ କରିବେ?
ଉ-ବଡ଼କଥା ହେଲା ଯଦି ସଂଗଠନଟିଏ ଭଲ ଉଦ୍ଦେଶ୍ୟ ନେଇ କାମ କରେ ସେତେବେଳେ ବହୁଳ ଅର୍ଥର ଆବଶ୍ୟକତା ପଡ଼େ ନାହିଁ । ଆମେ ୩ଟି ନିର୍ବାଚନକୁ କୃତିତ୍ୱର ସହ ଅତିକ୍ରମ କରିଆସିଛୁ । ଲୋକେ ଭୋଟ ଦେଇଛନ୍ତି, ଅନୁଦାନ ବି ଦେଇଛନ୍ତି । ତେଣୁ ଭଲ ଲକ୍ଷ୍ୟ ରଖିଥିବା ଦଳଟିଏ ପାଇଁ ଅର୍ଥ ଆବଶ୍ୟକ ଅଛି କିନ୍ତୁ ବହୁଳ ଭାବରେ ନୁହେଁ ।

୧୮- ଅଣକଂଗ୍ରେସ ଦଳ ହିସାବରେ ଆମ୍ ଆଦମୀ ନିଜ ସାମର୍ଥ୍ୟ ଅନୁସାରେ ନିର୍ବାଚନ ଲଢ଼ିଛି, ଯଦି କୌଣସି ଜାତୀୟ ଦଳ ସମର୍ଥନ ଦେବା ପାଇଁ କୁହେ, ଦେବେ କି ?
ଉ-ନା, ଆମେ କାହାକୁ ସମର୍ଥନ ଦେବୁ ନାହିଁ । ଆମେ ମେଣ୍ଟରେ ବିଶ୍ୱାସ ରଖୁନା । ନିଜେ କିଭଳି ଅନ୍ୟ ଦଳ ତୁଳନାରେ ନିଜକୁ ଆଦର୍ଶ କରି ଗଢ଼ିପାରିବୁ, ସେହି ବିଶ୍ୱାସ ନେଇ ବାଟ ଚାଲୁ ।