ସୁଟିଂରେ ଯୋଗଦେଲେ ସଞ୍ଜୟ

ମୁମ୍ବାଇ, ଏଜେନ୍ସି : ଅସୁସ୍ଥତା ସତ୍ତେ୍ୱ ଅପକମିଂ ଫିଲ୍ମ ‘ଶମଶେରା’ର ସୁଟିଂରେ ଯୋଗ ଦେଇଛନ୍ତି ସଞ୍ଜୟ ଦତ୍ତ। ସଞ୍ଜୟ ଦତ୍ତଙ୍କ ପ୍ରଶଂସକ ଏ ଖବରରେ ଖୁସି ହେବେ ନିଶ୍ଚୟ। ସୂଚନାଯୋଗ୍ୟ ସଞ୍ଜୟ ଦତ୍ତ ଫୁସଫୁସ କର୍କଟରେ ଆକ୍ରାନ୍ତ ବୋଲି ଗତ ମାସ ୧୧ ତାରିଖରେ ରିପୋର୍ଟ ଆସିଥିଲା। ଏହା ପରେ ସଞ୍ଜୟ ମୁମ୍ବାଇରେ ହିଁ ଚିକିତ୍ସା ଆରମ୍ଭ କରିଥିଲେ। ପରେ ସେ ଆମେରିକା ଯିବା ପାଇଁ ଭିସା କରିଥିଲେ ହେଁ ମୁମ୍ବାଇରେ ହିଁ ଚିକିତ୍ସା ଜାରି ରଖିଛନ୍ତି। ନିକଟରେ ସେ ଏକ ଥେରାପୀ ସେସନ ନେଇଛନ୍ତି, ଯାହା ତାଙ୍କ ଦ୍ରୁତ ଆରୋଗ୍ୟଲାଭରେ ସହାୟକ ହେଉଛି।

କୋକିଳାବେନ ହସ୍ପିଟାଲରେ ଚିକିତ୍ସା ଚାଲିଛି ସଞ୍ଜୟଙ୍କର। ସେଠାକାର ଡାକ୍ତରମାନେ ମଧ୍ୟ କହିଛନ୍ତି, ସଞ୍ଜୟଙ୍କ ଅବସ୍ଥା ସେତେ ଗୁରୁତର ନୁହେଁ, ଯେଉଁଭଳି ମିଡିଆରେ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ସଞ୍ଜୟ ଲଗାତାର କୋକିଳାବେନ ହସ୍ପିଟାଲର ଡାକ୍ତରମାନଙ୍କ ସହ ପରାମର୍ଶ ଜାରି ରଖିଛନ୍ତି। ଏଣେ ଅଧାରେ ଅଟକିଥିବା ଫିଲ୍ମଗୁଡ଼ିକର ସୁଟିଂ ମଧ୍ୟ ଖୁବ୍ ଶୀଘ୍ର ଶେଷ କରିଦେବାକୁ ଚାହୁଁଛନ୍ତି ସଞ୍ଜୟ। ‘ଶମଶେରା’ରେ ସଞ୍ଜୟଙ୍କ ସହିତ ଅଛନ୍ତି ରଣବୀର କପୁର। ‘ଶମଶେରା’ର ସୁଟିଂ ସାରି ସଞ୍ଜୟ ‘ଭୁଜ : ପ୍ରାଇଡ ଅଫ ଇଣ୍ଡିଆ’ର ସୁଟିଂରେ ଯୋଗଦେବେ।