ସୁଶାନ୍ତ ସିଂହ ମୃତ୍ୟୁ ଘଟଣା: ସନ୍ଦୀପଙ୍କ ଭୂମିକା ସନ୍ଦେହଜନକ ମନୋରଞ୍ଜନ By Nitidin Last updated Aug 22, 2020 Share ମୁମ୍ବାଇ, ଏଜେନ୍ସି : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ଯାଞ୍ଚ ଆରମ୍ଭ ହୋଇଛି। ଏହି ମାମଲାରେ ସର୍ବପ୍ରଥମେ ସୁଶାନ୍ତଙ୍କ କୁକ ନୀରଜଙ୍କୁ ପଚରା ଉଚରା କରାଯାଇଛି। ଶନିବାର ସୁଶାନ୍ତଙ୍କ ରୁମମେଟ ସିଦ୍ଧାର୍ଥ ପିଠାନୀଙ୍କୁ ପଚରା ଉଚରା କରିବା ପାଇଁ ସିବିଆଇ ଡାକିଛି। ଏହା ସହିତ ସିବିଆଇ ସୁଶାନ୍ତଙ୍କ ବନ୍ଧୁ ବୋଲି ଦାବି କରୁଥିବା ସନ୍ଦୀପ ସିଂହଙ୍କୁ ମଧ୍ୟ ପଚରା ଉଚୁରା ପାଇଁ ପ୍ରସ୍ତୁତି କରୁଛି। ସୁଶାନ୍ତ ମୃତ୍ୟୁ ଘଟଣାରେ ସନ୍ଦୀପଙ୍କ ଭୂମିକା ଖୁବ୍ ସନ୍ଦିଗ୍ଧ ବୋଲି କୁହାଯାଉଛି। ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ପରେ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସର୍ବପ୍ରଥମେ ପହଞ୍ଚିଥିଲେ ସନ୍ଦୀପ। ସନ୍ଦୀପଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ପୁଲିସ ସୁଶାନ୍ତଙ୍କ ମୃତ ଶରୀର ନେଉଥିବାବେଳେ ସନ୍ଦୀପ ସେମାନଙ୍କୁ ଥମ୍ସ ଅପ୍ ଦେଖାଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଏସବୁ ବ୍ୟତୀତ ସନ୍ଦୀପ ଅଦଳ ବଦଳ କରି ନ୍ୟାସନାଲ ଟିଭିକୁ ବୟାନ ଦେଇଛନ୍ତି, ଯେଉଁଥିରୁ ତାଙ୍କର ଭୂମିକା ସନ୍ଦେହଜନକ ବୋଲି କୁହାଯାଉଛି। ସନ୍ଦୀପଙ୍କୁ ଜାଣିନାହାନ୍ତି ସୁଶାନ୍ତଙ୍କ ପରିବାର… ସୁଶାନ୍ତଙ୍କ ପରିବାରର କୌଣସି ସଦସ୍ୟ ସନ୍ଦୀପ ସିଂହଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂହ। ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ଖବର ଜଣାପଡ଼ିଲା, ସନ୍ଦୀପ ସେଠାରେ ପହଞ୍ôଚଗଲେ। ସୁଶାନ୍ତଙ୍କ ମୃତ ଶରୀର ଦେଖି ତାଙ୍କ ଭଉଣୀ ମିତୁ ବେହୋସ ହୋଇଯିବାବେଳକୁ ସନ୍ଦୀପ ତାଙ୍କୁ ଆଶ୍ୱାସନା ଦେବାକୁ ଆଗେଇ ଆସିଲେ। ଏହିଠାରୁ ହିଁ ସେ ସବୁ କଥାରେ ଆଗକୁ ଆସିବା ପାଇଁ ସୁଯୋଗ ପାଇଲେ। ସନ୍ଦୀପ ଏହାର ଫାଇଦା ନେବା ନେଇ ପୋଷ୍ଟମର୍ଟମଠୁ ଆରମ୍ଭ କରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସାମିଲ ହେଲେ। ଅନେକ ମିଡିଆ ଇଣ୍ଟରଭ୍ୟୁରେ ସୁଶାନ୍ତଙ୍କୁ ନିଜର ଭାଇ ବୋଲି ପରିଚୟ ଦେଇଛନ୍ତି ସନ୍ଦୀପ। ଏମିତିକି ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସେ ପାଟନା ମଧ୍ୟ ପଳାଇଥିଲେ। ଏହା ପଛରେ ତାଙ୍କର ପବ୍ଲିସିଟି ସାଉଁଟିବା ଉଦ୍ଦେଶ୍ୟ ଥିଲା ବୋଲି କହିଛନ୍ତି ବିକାଶ। ଆଇସକ୍ରିମ ବିକୁଥିଲେ, ପାଲଟିଗଲେ ପ୍ରଡ୍ୟୁସର… ବିହାରର ମୁଜାଫରପୁରରେ ଜନ୍ମିତ ସନ୍ଦୀପ ଅଳ୍ପ ବୟସରୁ ହିଁ ପରିବାର ସହିତ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ ହେଁ ଅର୍ଥାଭାବରୁ ଅଧିକ ପଢ଼ିପାରିନଥିଲେ ସନ୍ଦୀପ। ଟିଉସନ ପଢ଼ାଇ ଓ ରାସ୍ତାକଡ଼ରେ ଆଇସକ୍ରିମ ବିକ୍ରି କରି ପରିବାର ଚଳାଇଲେ। ୨୦୦୧ରେ ସନ୍ଦୀପ ସାମ୍ବାଦିକ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଏକ ରେଡିଓ ଚ୍ୟାନେଲ୍ରେ ସୋ’ ପ୍ରଡ୍ୟୁସର ଭାବେ କାମ କଲେ। ଏହା ପରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଚାଲିଲେ ସନ୍ଦୀପ। ତାଙ୍କୁ ରେଡିଓ ମିର୍ଚ୍ଚିର ଏଣ୍ଟରଟେନମେଣ୍ଟ ହେଡ୍ କରିଦିଆଗଲା। ୩୮ ବର୍ଷୀୟ ସନ୍ଦୀପ ୨୦୦୮ରେ କଲର୍ସ ଚ୍ୟାନେଲ ପାଇଁ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ ସୋ’ ‘ଡ୍ୟାନସିଙ୍ଗ୍ କୁଇନ’ ନିର୍ମାଣ କରିଥିଲେ। ୨୦୧୧ରେ ସନ୍ଦୀପ, ଭନସାଲି ପ୍ରଡକ୍ସନର ସିଇଓ ହେଲେ। ଭନସାଲି ପ୍ରଡକ୍ସନରେ ଥାଇ ସନ୍ଦୀପ ‘ରାଉଡି ରାଥୋର’, ‘ଶିରିନ ଫରହାଦ କି ତୋ ନିକଲପଡ଼ି’, ‘ରାମଲୀଲା’, ‘ମେରିକମ୍’ ଏବଂ ଟେଲିଭିଜନ ସିରିଜ୍ ‘ସରସ୍ୱତୀଚନ୍ଦ୍ର’ର କୋ-ପ୍ରଡ୍ୟୁସର ଥିଲେ। ୨୦୧୫ରେ ସନ୍ଦୀପ ‘ଅଲୀଗଡ଼’, ‘ସରବଜିତ’, ‘ଭୂମି’ ଓ ‘ପିଏମ୍ ନରେନ୍ଦ୍ର ମୋଦି’ ଆଦି ଫିଲ୍ମ ପ୍ରଯୋଜନା କରି ନିଜକୁ ସ୍ୱୟଂସମ୍ପୂର୍ଣ୍ଣ ପ୍ରଯୋଜକ ଭାବେ ଉପସ୍ଥାପିତ କରିଥିଲେ। Share