ବିଧାନସଭାରେ ପ୍ରଶ୍ନକାଳରେ ବାଲି ତାତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଭୟ ବିଜେପି ଓ କଂଗ୍ରେସ ବାଲି ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ରାଜ୍ୟରେ ବାଲି ନୀତି ନାହିଁ ବୋଲି ବ୍ୟାପକ ବାଲି ଚୋରି ହେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ। ସରକାର କାହିଁକି ଆଣିନାହାନ୍ତି ବାଲି ନୀତି ଏବଂ ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ପ୍ରଶ୍ନ କରିଛି ବିଜେପି। ଏହି ନୀତି କାର୍ଯ୍ୟ କରିବା ପାଇଁ ବୈଠକ ବସିଥିଲା, ହେଲେ ଏହାର ଏଯାଏ କୌଣସି ତର୍ଜମା ହୋଇନାହିଁ। ଏନେଇ ମୋହନ ମାଝୀ ଅଭିଯୋଗ କରିଛନ୍ତି। ରାଜ୍ୟ ବାଲି ବାବଦରେ ୧୫୦୦ କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ୪ରୁ ୫ ହଜାର କୋଟି ଟଙ୍କା ବାଲି ଚୋରିରେ ହରାଉଛି।

ବାଚସ୍ପତି ମଧ୍ୟ ଏନେଇ ଉଦବେଗ ପ୍ରକାଶ କଲେ। ବାଚସ୍ପତିଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। ତିନି ବର୍ଷ ହେଲା ବାଲି ନୀତି କାହିଁକି କାର୍ଯ୍ୟକାରୀ ହେଉନାହିିଁ ବୋଲି ବାଚସ୍ପତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ଠିକ୍ ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ରାଜସ୍ୱ ପାଉଛନ୍ତି, କିନ୍ତୁ ୫ ହଜାର କୋଟି ରାଜସ୍ୱ ହରାଉଛନ୍ତି।

ଗୃହରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ଉତ୍ତରରେ କହିଛନ୍ତି, ‘ବାଲି ନୀତିକୁ ତର୍ଜମା କରୁଛୁ। ରାଜ୍ୟର ବାର୍ଷିକ ଚାହିଦା ସ୍ଥିର ହୋଇନାହିଁ। ଏଯାବତ ବାହାରକୁ ବାଲି ଚାଲାଣ ହେଉନାହିଁ। କେବଳ ୨-୩ଟି ରାଜ୍ୟକୁ ଦିଆଯାଉଛି। ବାଲିର ମୁଲ୍ୟ ନିର୍ଦ୍ଧାରଣ କରାଯାଇନି। ତେବେ ଘାଟ ନିଲାମ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି।