ଘରଘର ବୁଲି ପ୍ରଚାର କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପିପିଲିର ବିଭିନ୍ନ ପଞ୍ଚାୟତକୁ ଯାଇ ଘର ଘର ବୁଲି ପ୍ରଚାର କରିଛନ୍ତି। ଶ୍ରୀ ମହାନ୍ତି ବ୍ୟକ୍ତିଗତ ଭାବେ ପିପିଲିବାସୀଙ୍କୁ ଭେଟି ବିଜେପିକୁ ଆଶୀର୍ବାଦ କରିବା ପାଇଁ ଅନୁରୋଧ କରିଛନ୍ତି। ନିର୍ବାଚନମଣ୍ଡଳୀର ଗଡ଼ ମୋଟରୀ ପଞ୍ଚାୟତର କୁମୁଣ୍ଡଳ, ବାତୋଲ, ମୋଟରୀ, ଗଣ୍ଡପଡା, ନୂଆ ସାହି ଓ ଅନକୋଇ ଗାଁ ବୁଲି କିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶମୂଳକ କାର୍ଯ୍ୟ ପାଇଁ ବ୍ୟାପକ ଅର୍ଥ ପଠାଉଥିବା ବେଳେ ରାଜ୍ୟରେ ତାହାର ହରିଲୁଟ୍ ହେଉଛି ଏ ସଂପର୍କରେ ବୁଝାଇଛନ୍ତି ଶ୍ରୀ ମହାନ୍ତି।

ଫାନି ବାତ୍ୟାରେ ମୋଦୀ ସରକାର ପଠାଇଥିବା ଅର୍ଥକୁ ଦଳୀୟ ଭିତ୍ତିରେ ବଣ୍ଟନ କରାଯାଇଛି। ଆଜିବି ଫାନି କ୍ଷତିଗ୍ରସ୍ତଙ୍କୁ ପକ୍କା ଘର ଦେବାରେ ରାଜ୍ୟ ସରକାର ବିଫଳ। ପିପିଲି ରାଜ୍ୟର ଗୋଟିଏ ପୁରୁଣା ବିଜ୍ଞାପିତ ଅଞ୍ଚଳର ହୋଇଥିବା ସତ୍ତେ୍ୱ ବର୍ତମାନ ସୁଦ୍ଧା ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରିନାହିଁ। କୃଷି ପ୍ରାଧାନ୍ୟ ଅଞ୍ଚଳ ହୋଇଥିବା ସତ୍ତେ୍ୱ ଶୀତଳ ଭଣ୍ଡାରର ଅଭାବ, ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଆଜି ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି। ୩୫ ବର୍ଷ ଧରି ବିଜେଡି ଲୋକ ପ୍ରତିନିଧିଙ୍କୁ ପିପିଲିବାସୀ ସୁଯୋଗ ଦେଇଥିବା ସତ୍ତେ୍ୱ ଏଭଳି ସ୍ଥିତି ବଜାୟ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ପ୍ରଚାର ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ବିଜେପି ସାଧାରଣ ସଂପାଦକ ରବି ନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲ୍ଲିକ ପ୍ରମୁଖ ସାମିଲ ଥିଲେ।