ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜ୍ୟ ବିଜେପି ନିଜର ମଙ୍ଗୁଆଳ ଭାବେ ସମୀର ମହାନ୍ତିଙ୍କୁ ଚୟନ କରିଛି। ଏନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଗୁରବାର ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମ ଏବଂ ଉପସ୍ଥିତ କର୍ମୀଙ୍କୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ସମ୍ପର୍କରେ ସୂଚନା ଦେବାକୁ ଯାଇ ଶ୍ରୀ ତୋମାର କହିଛନ୍ତି ଯେ ରାଜ୍ୟରେ ଚାଳିଥିବା ବିଜେପି ସାଂଗଠନିକ ନିର୍ବାଚନର ପରିସମାପ୍ତି ଘଟିଛି। ଆଜି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଓ ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।

ଏହି ପ୍ରକ୍ରିୟା ଦିବା ୩ ଘଟିକାରେ ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ୬ ସେଟ୍ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ତେବେ ସବୁ ସେଟ୍ରେ ସମୀର ମହାନ୍ତିଙ୍କ ନାମ ଥିବାରୁ ରାଜ୍ୟର ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ କରିବାକୁ ମତ ଦେଇଛନ୍ତି। ତେଣୁ ଆନୁଷ୍ଠାନିକ ଭାବେ ମୁଁ ସମୀର ମହାନ୍ତିଙ୍କୁ ରାଜ୍ୟ ସଭାପତି ଭାବେ ଘୋଷଣା କରୁଛି। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳ ୧୦ଟା ବେଳେ ପୂର୍ବତନ ସଭାପତି ବସନ୍ତ ପଣ୍ଡା ନବ ନିଯୁକ୍ତ ସଭାପତି ଶ୍ରୀ ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ଶ୍ରୀ ତୋମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସଭାପତି ପଦ ପାଇଁ ବିଭିନ୍ନ ବ୍ୟକ୍ତି ରେସ୍ରେ ଥିବା ବେଳେ ବିଜେପି ପକ୍ଷରୁ ସବମତି ଭିତ୍ତିରେ ମଙ୍ଗୁଆଳ ଚୟନ ପାଇଁ ଜୋର୍ ଦିଆଯାଇଥିଲା। ତଦନୁଯାୟୀ ଆଜି ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଏକ ବୈଠକ ଦଳୀୟ କାର୍ଯ୍ୟାଳୟରେ ବସିଥିଲା। ଏଥିରେ ବିଜେପିର ୩୪ ସାଂଗଠନିକ ଜିଲ୍ଲା ସଭାପତି, ନବ ନିର୍ବାଚିତ ରାଜ୍ୟ ପରିଷଦ ସଦସ୍ୟ ବିଧାୟକ, ସାଂସଦ ଏବଂ ବରିଷ୍ଠ ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଭାଗ ନେଇଥିଲେ। ସମସ୍ତେ ସମୀର ମହାନ୍ତିଙ୍କ ନାମରେ ବୈଠକରେ ସହମତ ହୋଇଥିଲେ। ଉଲ୍ଲେ୍ଖଯୋଗ୍ୟ ଯେ ରାଜ୍ୟ ବିଜେପିରେ ସମୀର ମହାନ୍ତି ଜଣେ ଟାଣୁଆ ସଂଗଠକ ଭାବେ ପରିଚିତ ଲାଭ କରିଛନ୍ତି। ୧୯୭୭ ମସିହାରେ ଛାତ୍ର ସଂଗଠନ ଏବିଭିପିରୁ କ୍ୟାରିୟର ଆରମ୍ଭ କରିଥିବା ସମୀର ବର୍ତ୍ତମାନ ରାଜ୍ୟ ବିଜେପିର ଉପସଭାପତି ପଦ ସମ୍ଭାଲୁଥିଲେ। ୨୦୧୬ ମସିହାରୁ ସେ ଏହି ପଦରେ କାର୍ଯ୍ୟ କରୁଛନ୍ତି।