‘ହିଂସା, ଆତଙ୍କରାଜ ଓ ହତ୍ୟା’ ଗଣତନ୍ତ୍ରରେ ସ୍ଥାନ ନାହିଁ: ସମୀର

ପଶ୍ଚିମବଙ୍ଗ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ବିଜେପି ନେତାଙ୍କ ବିରୋଧ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ପରେ ମମତା ବାନାର୍ଜୀ ନିଜର ନିର୍ବାଚନୀ ସ୍ଲୋଗାନ ‘ଖେଲା ହୋବେ’କୁ ବାସ୍ତବରେ ପରିଣତ କରିଛନ୍ତି। ଏହା ଆଦୋ÷ ଗ୍ରହଣ ଯୋଗ୍ୟ ନୁହେଁ। ଏଭଳି ହିଂସାକାଣ୍ଡକୁ ବିଜେପି ଦୃଢ ନିନ୍ଦା କରିଛି ଏବଂ ହିଂସାକାଣ୍ଡ ତୁରନ୍ତ ବନ୍ଦ୍ କରିବାକୁ ଦାବି କରିଛି ଦଳ। ତେଣୁ ଏହି ହତ୍ୟା ପ୍ରତିବାଦରେ ରାଜ୍ୟର ସମସ୍ତ ମଣ୍ଡଳରେ ବିଜେପି ନେତାମାନେ ଉପବାସ ଓ ଧାରଣା ଦେଇଥିଲେ।
ବୁଧବାର ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ନିଜ ବାସଭବନରେ ଧାରଣା ଦେଇଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ, ଗଣତନ୍ତ୍ର ପ୍ରକ୍ରିୟାରେ ଜନତାଙ୍କ ଇଚ୍ଛା ଅନୁସାରେ ମତଦାନ କରିବାର ପୂର୍ଣ୍ଣ ଅଧିକାର ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଟିଏମ୍ସି କାର୍ଯ୍ୟକର୍ତାମାନେ ଯେଉଁଭଳି ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବର୍ବର ଓ ଅମାନୁଷିକ କାଣ୍ଡ ଭିଆଉଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ‘ଖେଲା ହୋବେ’ ଶ୍ଲୋଗାନକୁ ବାସ୍ତବରେ ପରିଣତ କରାଯାଉଛି । ତୃତୀୟ ପାଳି କ୍ଷମତାର ନିଶା ଓ ଅହଂକାରରେ ମମତା ବାନାର୍ଜୀ ପ୍ରତିହିଂସା ପରାୟଣ ହୋଇ ଏକମାତ୍ର ବିରୋଧୀ ବିଜେପିର କାର୍ଯ୍ୟକର୍ତ୍ତଙ୍କୁ ନିପାତ କରିବାର ଅପଚେଷ୍ଟାରେ କେବେ ହେଲେ ସଫଳ ହେବେ ନାହିଁ। ‘ହିଂସା, ଆତଙ୍କରାଜ ଓ ହତ୍ୟା’ ଗଣତନ୍ତ୍ରରେ ସ୍ଥାନ ନାହିଁ।
ଶ୍ରୀ ମହାନ୍ତି କହିଥିଲେ, ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ। ପଶ୍ଚିମବଙ୍ଗ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପଛରେ ଦେଶର କୋଟି କୋଟି ବିଜେପି କାର୍ଯ୍ୟକର୍ତ୍ତା ପ୍ରାଚୀର ଭଳି ଛିଡା ହୋଇଛନ୍ତି। ବଙ୍ଗଳାର ଗୋଟିଏ ହେଲେ କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ସୁନାର ବଙ୍ଗଳା ପ୍ରତିଷ୍ଠା ପାଇଁ ବିଜେପି ବଦ୍ଧପରିକର। ଭାରତୀୟ ଜନତା ପାର୍ଟୀ ଏଭଳି ହିଂସାକାଣ୍ଡକୁ ଦୃଢ ନିନ୍ଦା କରୁଛି । ଏଭଳି ହିଂସାକାଣ୍ଡ ତୁରନ୍ତ ବନ୍ଦ ହେବା ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନିହାତି ଆବଶ୍ୟକ। ପଶ୍ଚିମବଙ୍ଗ ରାଜନୈତିକ ହିଂସାକାଣ୍ଡ ବିରୋଧରେ ବିରୋଧୀ ଦଳମାନେ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ସ୍ୱାମୀ ବିବେକାନନ୍ଦ, ଯୋଗୀ ଅରବିନ୍ଦ, ରବିନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଭଳି ମହାମନିଷୀଙ୍କ ଜନ୍ମମାଟିରେ ହତ୍ୟା ଏବଂ ମାତୃଶକ୍ତିଙ୍କ ଉପରେ ଅତ୍ୟାଚାର ଆଦୈା ଶୋଭନୀୟ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।