ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ କଲେ ସମୀର ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ଅବସରରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲ ଯୋଗେ ପ୍ରଚାର କରିଥିଲେ। ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ନେବେ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ସମ୍ବୋଧିତ କରି କହିଥିଲେ। ତେବେ ତୃଣମୂଳସ୍ତରର ବାସ୍ତବ ସ୍ଥିତି ସମ୍ପର୍କରେ ନକହି ମୁଖ୍ୟମନ୍ତ୍ରୀ ମୁହଁରେ ତୁଣ୍ଡି ଦେଇ ରହିଲେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ମହାନ୍ତି କହିଛନ୍ତି ଯେ ଅତୀତରେ ରାଜ୍ୟରେ ଯେଉଁଠି ଉପନିର୍ବାଚନ ହୋଇଛି, ସେ ଅଞ୍ଚଳର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେବେ ବୋଲି କହିଆସିଛନ୍ତି। ପିପିଲି ଲୋକଙ୍କୁ ମଧ୍ୟ ସମାନ କଥା କହିଛନ୍ତି। ଯଦି ପିପିଲିର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେବେ ବୋଲି ଆଜି କହୁଛନ୍ତି, ତାହେଲେ ଆଜି ପର୍ଯ୍ୟନ୍ତ ଏହି ଦାୟିତ୍ୱ କିଏ ନେଇଥିଲା। ମୁଖ୍ୟମନ୍ତ୍ରୀ ପିପିଲି ଚାନ୍ଦୁଆ କଥା ମନେ ପକାଇଲେ। ପିପିଲି ଶାନ୍ତ ରହିଲେ ଯାଇ ଚାନ୍ଦୁଆ ବିକ୍ରି ହୋଇପାରିବ। ପିପିଲିକୁ ହିଂସ୍ର କିଏ କରୁଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ମହିଳାଙ୍କ କଥା କହିଛନ୍ତି। ହେଲେ ପିପିଲିର ଦଳିତ ଝିଅ ବେବିନାକୁ ନ୍ୟାୟ ମିଳିଛି କି? ଇତିଶ୍ରୀକୁ କି ନ୍ୟାୟ ମିଳିଲା? ପିପିଲିର ଏହି ଦୁଇ ଝିଅଙ୍କ ନାଁ କ’ଣ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନାହିଁ। ମୋଦୀ ସରକାର ଫାନି ବାତ୍ୟା ବିପନ୍ନଙ୍କ ପାଇଁ ଘର ଯୋଗାଇଲେ। ତେବେ ପିପିଲି-ଡେଲାଙ୍ଗର ହଜାର ହଜାର ପରିବାର ପଲିଥିନ ଟାଣି ଖୋଲା ଆକାଶ ତଳେ କାହିଁକି ରହିଛନ୍ତି। ଅପରାଧୀ ଧୀରେନ ସାମନ୍ତରାୟଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ସାକ୍ଷାତକଲେ। ଏପରିକି ତାଙ୍କୁ ପିପିଲି ଉପନିର୍ବାଚନ ଦାୟିତ୍ୱ ଦେଇ ଖୋଦ୍ ମୁଖ୍ୟମନ୍ତ୍ରୀ ହିଂସାକୁ ପ୍ରୋତ୍ସାହନ ଦେଉନାହାନ୍ତି କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ସେ ସମାଲୋଚନା କରି କହିଛନ୍ତି ଯେ ପିପିଲିରେ ନବୀନ ବାବୁଙ୍କ ନିର୍ବାଚନୀ ପ୍ରଚାର ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ପରି ଉପାଖ୍ୟାନ। ମିଥ୍ୟା ପ୍ରବଂଚନା ଓ ପ୍ରତାରଣାକୁ ପିପିଲି-ଡେଲାଙ୍ଗବାସୀ ଭଲ ଭାବେ ବୁଝି ସାରିଛନ୍ତି ଓ ଆଗାମୀ ନିର୍ବାଚନରେ ଏହାର ସଠିକ୍ ଉତ୍ତର ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ରବି ନାଏକ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।