ନୂଆ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ: ସମୀର ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସେ କହିଛନ୍ତି ଯେ, ଏହି ନୀତି ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷାକୁ ଆହୁରି ସାମଗ୍ରିକ, ନମନୀୟ, ବହୁବିଷୟକ କରିବା ସହିତ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପ୍ରତି ଧ୍ୟାନ ଦେବ। ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଅଭିନବ ସାମର୍ଥ୍ୟକୁ ଆହୁରି ବିକଶିତ କରିବ। ଏଭଳି ଏକ ଐତିହାସିକ ଶିକ୍ଷା ନୀତି ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ନୂଆ ଶିକ୍ଷା ନୀତି ଅନୁଯାୟୀ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷା ପଢ଼ିବା ବାଧ୍ୟତାମୂଳକ। ଏହା ଦ୍ୱାରା ପିଲାମାନେ ନିଜ ମାତୃଭାଷା ସମ୍ବନ୍ଧରେ ବ୍ୟାପକ ଭାବେ ତଥ୍ୟ ଜାଣିପାରିବେ। ଭାଷା ସୂତ୍ର ସମେତ, ବିଦ୍ୟାଳୟ ଓ ଉଚ୍ଚଶିକ୍ଷାର ସମସ୍ତ ସ୍ତରରେ ସଂସ୍କୃତ ଭାଷାରେ ପଢ଼ିବାର ଏକ ବିକଳ୍ପ ଛାତ୍ରଛାତ୍ରୀଙ୍କ ନିକଟରେ ରହିବ। ଏହି ନୀତିର ଲକ୍ଷ୍ୟ ୨୦୩୦ ସୁଦ୍ଧା ଶତପ୍ରତିଶତ ଯୁବକ ଓ ପ୍ରୌଢ଼ଙ୍କୁ ସାକ୍ଷରତା ପ୍ରଦାନ କରିବା। ଶିକ୍ଷା କ୍ଷେତ୍ରରେ ସାର୍ବଜନୀନ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବେ ଯାହାଫଳରେ ଜିଡିପିରେ ଏହାର ଯୋଗଦାନ ଯଥାଶୀଘ୍ର ୬% ହୋଇପାରିବ। ଦୀର୍ଘ ୩୪ ବର୍ଷ ପରେ ଭାରତକୁ ବିଶ୍ୱରେ ଶ୍ରେଷ୍ଠ ଦେଶ କରି ତୋଳିବାରେ ଏହି ନୀତି ମାର୍ଗଦର୍ଶକ ହେବ ବୋଲି ସେ କହିଛନ୍ତି। ଏହି ନୂଆ ଶିକ୍ଷା ନୀତିରେ ବିଦ୍ୟାଳୟ ପୁରୁଣା ୧୦+୨ ପାଠଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଢାଞ୍ଚା ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ସେହିପରି ପୂର୍ବରୁ ରାଇଟ୍ ଟୁ ଏଜୁକେସନ ଆକ୍ଟ ୬-୧୪ ଥିବାବେଳେ ଏବେ ଏହା ୩-୧୮ ବର୍ଷ କରାଯାଇଛି, ଯାହାକି ଏକ ଯୁଗାନ୍ତକାରୀ ପଦକ୍ଷେପ। ନୂଆ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।  ୨୦୩୫ ସୁଦ୍ଧା ଉଚ୍ଚ ଶିକ୍ଷାରେ ଜିଇଆର୍ ୫୦% ପର୍ଯ୍ୟନ୍ତ ବୃଦ୍ଧି ଲକ୍ଷ୍ୟ ରଖି ଉଚ୍ଚ ଶିକ୍ଷା କ୍ଷେତ୍ରରେ ୩.୫ କୋଟି ଆସନ ଯୋଡ଼ାଯିବା ସହ ଏହି ନୀତି ଯୋଗୁଁ ଓଡ଼ିଶାରେ ଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।