ବଲାଙ୍ଗୀର,ଏନ୍ଏନ୍ଏସ୍ : ବଲାଙ୍ଗୀର ଜିଲ୍ଲା ଦାୟିତ୍ୱରେ ଥିବା କୋଭିଡ-୧୯ ପର୍ଯ୍ୟବେକ୍ଷକ ବରିଷ୍ଠ ଆଇଏଏସ ଅଧିକାରୀ ସୁଶୀଲ କୁମାର ଲୋହାନୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ବେଣୁଧର ବେହେରା ଆଜି ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ସିଡିଏମଓ କାର୍ଯ୍ୟାଳୟରେ ଥିବା ଏନଏଚଏମ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ କୋଭିଡ -୧୯କୁ ନେଇ ପ୍ରସ୍ତୁତି ଓ ପରିଚାଳନା ତଥା ଅର୍ଥନୈତିକ କାର୍ଯ୍ୟକଳାପକୁ ନେଇ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଶ୍ରମଭିତ୍ତିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ବୈଠକରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ , ଏସପି ସନ୍ଦୀପ ସମ୍ପତ , ପିଡି ଡିଆରଡିଏ ଡ. ମହେଶ୍ୱର ସ୍ୱାଇଁ ଓ ସିଡିଏମଓ ଡ. ନାରାୟଣ ଜେନାଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବଲାଙ୍ଗୀର ଜିଲ୍ଲା ଲିଖିରିଆ ଗାଁ’ରେ ଦୁଇଜଣ କରୋନା ଆକ୍ରାନ୍ତ ସଂକ୍ରମିତ ବାହାରିବା ପରେ ସେ ଅଂଚଳକୁ କଣ୍ଟେନମେଣ୍ଟଣ୍ଟଜୋନ୍ ଘୋଷଣା କରାଯାଇଛି । ତେବେ ସେହି ଅଂଚଳରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ଲୋହାନୀ ସମୀକ୍ଷା କରିଥିଲେ । ବାହାର ରାଜ୍ୟରୁ ଫେରିବାକୁ ଥିବା ଲୋକ ତଥା ଶ୍ରମିକମାନଙ୍କ ପାଇଁ ଗ୍ରାମାଂଚଳ ଓ ସହରାଂଚଳରେ କରାଯାଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କର ସ୍ଥିତି ତଥା ଆନୁସାଙ୍ଗକି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ଏନଆରଜିଏସ ଯୋଜନା ଜରିଆରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସେ ନିର୍ଦ୍ଧେଶ ଦେଇଥିଲେ । ତେବେ ସାମାଜିକ ଦୂରତା ରଖିବା , ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ସେହି ସ୍ଥାନମାନଙ୍କରେ ପାଣି ତଥା ସାବୁନ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ଅନ୍ୟାନ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଶ୍ରମ କାର୍ଯ୍ୟମାନଙ୍କ ଉପରେ ମଧ୍ୟ ସମୀକ୍ଷା କରାଯାଇଥିଲା ।