ପିପିଲିରେ ଶାସକ ଦଳର ଇଙ୍ଗିତରେ ଷଡ଼ଯନ୍ତ୍ର ରଚିଛି ପୁଲିସ: ସମ୍ବିତ ପାତ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରାଇ ନଦେବା ପାଇଁ ଶାସକ ବିଜେଡି ପୁଲିସକୁ ହାତବାରିଶି କରି ବଡ଼ ଷଡ଼ଯନ୍ତ୍ର ରଚନା କରିଛି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବାରମ୍ବାର ମରଣାନ୍ତକ ଆକ୍ରମଣ ହେବା ଏହାର ବଡ଼ ପ୍ରମାଣ। ଭୟର ବାତାବରଣ ସୃଷ୍ଟି କରିବା ବିଜେଡିର ଏଜେଣ୍ଡା ଓ ପୁଲିସ ଏଥିରେ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରୁଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ, ନିର୍ବାଚନ ସମୟରେ ଜାମିନ ବିହୀନ ପରୱାନା ଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ଓ ଆବଶ୍ୟକସ୍ଥଳେ ତାଙ୍କୁ ଅଟକ ରଖିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ପିପିଲିରେ ବିପରୀତ କାର୍ଯ୍ୟ ହେଉଛି। ଘୋଷିତ ଅପରାଧୀ, ପଳାତକ ଏବଂ ଯେଉଁ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବା କଥା ରାଜ୍ୟ ସରକାର ଓ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଯୁଧିଷ୍ଠିର ସାମନ୍ତରାୟଙ୍କ ଭାଇ ଧିରେନ ସାମନ୍ତରାୟଙ୍କ ନାଁରେ ୩ଟି ହତ୍ୟା ଅଭିଯୋଗ ରହିବା ଏବଂ ପୁରୀ ଜିଲ୍ଲା କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ପରେ ବି ସେ ବିଜେଡିର ବିଭିନ୍ନ ସଭା ସମିତିରେ ମଞ୍ଚାସୀନ ହେଉଛନ୍ତି। ସେହିପରି ପ୍ରିୟବ୍ରତ ସାମନ୍ତରାୟଙ୍କ ନାଁରେ ଅନେକ ମାମଲା ରହିବା ଏବଂ ସଂଜୟ ସାମନ୍ତରାୟଙ୍କୁ ପୁଲିସ ପଳାତକ ଘୋଷଣା କରିଥିବା ସତ୍ତେ୍ୱ ଏମାନଙ୍କୁ ପିପିଲି ନିର୍ବାଚନ ପରିଚାଳନା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ଏହା କେତେଦୂର ଠିକ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି।

ପିପିଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ସରକାରୀ ଡାକ୍ତର ଡା. ଅବିନାଶ ରଥ ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଥିଲେ। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା। ହେଲେ ଏହି ଘଟଣାରେ ସାଙ୍ଗେ ସାଙ୍ଗେ ପୁଲିସ ସଜାଗ ହୋଇ ପଛୁଆ ତାରିଖରେ ଏତଲା ହୋଇଛି କହି ସଂପୃକ୍ତ ଡାକ୍ତରଙ୍କୁ ସୁରକ୍ଷା ଦେଲା ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ସେ ଯୁକ୍ତି ରଖିଛନ୍ତି ଯେ ଏଥିରୁ ପ୍ରମାଣିତ ହେଲା କି ପୁଲିସ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ପୂରା ପ୍ରସ୍ତୁତ ହୋଇ ରହିଛି। ସେହିପରି ଏପ୍ରିଲ ୭ ତାରିଖରେ ଏକ କଳା ବ୍ୟାଗ୍ ଧରାପଡିଥିଲା ଏବଂ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଥିଲା। କିନ୍ତୁ, କଳାବ୍ୟାଗ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହେବାପରେ ପୁଲିସ ସେହି କଳା ବ୍ୟାଗ୍କୁ ଅନ୍ୟ ଗାଡିରେ ପଠାଇବା ପାଇଁ ସାହାଯ୍ୟ କରିଥିଲା। ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି କି ଆଳୁ ଗୋଦାମ ମାଲିକର କହିବା ଅନୁଯାୟୀ ସେ ବ୍ୟାଗ୍ରେ କିଛି ନଥିଲା। ଏଭଲି ଢଙ୍ଗରେ ପୁଲିସକୁ ଲଗାଇ ବିଜେଡି ପିପିଲିରେ ଉପନିର୍ବାଚନକୁ ପ୍ରଭାବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର କହିଛନ୍ତି।