କୃଷକ ଅଧିକାର ରାଲି ଓ ଆରଡିସି ଅଫିସ ଘେରାଉ ଘଟଣା : ବିଜେପି ଦେଲା ୭୨ ଘଣ୍ଟାର ମହଲତ

ସମ୍ବଲପୁର,ଏନ୍ଏନ୍ଏସ୍: ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ନେଇ ଗୁରୁବାର ସମ୍ବଲପୁରରେ ବିଜେପିର କୃଷକ ଅଧିକାର ରାଲି ଏବଂ ଉତ୍ତରାଞ୍ଚଳ ରାଜସ୍ୱ କମିଶନର(ଆରଡିସି)ଙ୍କ ଅଫିସ ଘେରାଉ ଅଡ଼ୁଆର ୨୪ଘଣ୍ଟା ପରେ ସମାହିତ ହୋଇଛି। ମଣ୍ଡିରୁ ଚାଷୀଙ୍କ ଧାନ ନଉଠିବା ଯାଏ ସେମାନେ ଟାଉନ୍ ଥାନା ଛାଡ଼ିବେନାହିଁ ବୋଲି ଜିଦ୍ ଧରିଥିବା ଗିରଫ ବିଜେପି ନେତୃବୃନ୍ଦ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁଙ୍କ ସହ ଆଲୋଚନା ପରେ ୭୨ଘଣ୍ଟା ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆରଡିସି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଚାଷୀଙ୍କ ଧାନ କିଣାଯିବା ଦିଗରେ ସନ୍ତୋଷଜନକ ପଦକ୍ଷେପ ନିଆ ନ ଗଲେ ଆସନ୍ତା ୨୫ତାରିଖ ଦିନ ସମ୍ବଲପୁରରେ ପଶ୍ଚିମ ଓଡ଼ିଶାର ସାଂସଦ, ବିଧାୟକ ଏବଂ ଦଳର ଜିଲ୍ଲା ସଭାପତିମାନଙ୍କ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସମ୍ବଲପୁର ବିଧାୟକ ତଥା କୃଷକ ଅଧିକାର ରାଲିର ଆବାହକ ଜୟନାରାୟଣ ମିଶ୍ର କହିଛନ୍ତି।
ପ୍ରକାଶ ଯେ ଗୁରୁବାର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଆସିଥିବା ବିଜେପିର ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଧାନ ସଂଗ୍ରହରେ ଅବ୍ୟବସ୍ଥାର ପ୍ରତିକାର ଦାବିରେ ସମ୍ବଲପୁର ଆରଡିସି ଅଫିସକୁ ଘେରାଉ କରିଥିଲେ।

ଏହି ସମୟରେ ପୁଲିସ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଦଳର ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀଚନ୍ଦ୍ର ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ପ୍ରମୁଖଙ୍କୁ ଗିରଫ କରି ଟାଉନ୍ ଥାନାରେ ଅଟକ ରଖିଥିଲା। ମଣ୍ଡିରୁ ଧାନ ନ ଉଠିବା ଯାଏ ସେମାନେ ଥାନାରୁ ଯିବେନାହିଁ ବୋଲି ଗିରଫ ନେତୃବୃନ୍ଦ ଘୋଷଣା କରିଥିଲେ।