ସମ୍ବଲପୁର, ଏନ୍ଏନ୍ଏସ୍ : କୋଭିଡ-୧୯ ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକଡାଉନ-୪ ଜାରି ରହିଥିବାବେଳେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦେବ ମହାଦେବ ଏବଂ ଜଗଜ୍ଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ପାଇଁ ବିଭିନ୍ନ ବିଧି ଜାରି ରହିଛି। ଲକଡାଉନ-୪ କଟକଣା ଏବଂ ସାମାଜିକ ଦୂରତା ନିୟମ ପରିପ୍ରେକ୍ଷୀରେ ବୁଧବାର ନିଜ ନିଜ ପୀଠ ନିକଟରେ ପ୍ରସ୍ତୁତ ମଣ୍ଡପ ଗୁଡ଼ିକରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ହେବ। ସୋମବାର ସହରର ସର୍ବପୁରାତନ ଶୈବପୀଠ ବାଲିବନ୍ଧା ସାମିଆ ଗୁଡ଼ିର ସୋମନାଥ ବାବାଙ୍କ ସମେତ ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର ବାବା ଓ ଅନ୍ୟ ଶୈବପୀଠ ଗୁଡ଼ିକର କନ୍ୟାଖୋଜା (ପତରପେଁଡ଼ି) ସମ୍ପନ୍ନ ହୋଇଥିବାବେଳେ ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ନୃସିଂହ ମହାପ୍ରଭୁ ଦେବଦେବୀଙ୍କୁ ନିଉତା ଦେଇଥିଲେ।
ମଙ୍ଗଳବାର ସନ୍ଧ୍ୟାରେ ବମବରାଡ଼ ବାଲୁଙ୍କେଶ୍ୱରଙ୍କ ବିବାହରେ ସାକ୍ଷୀ ହେବାକୁ ସାକ୍ଷୀପଡ଼ାରୁ ସାକ୍ଷୀ ଗୋପୀନାଥ ମହାପ୍ରଭୁଙ୍କୁ ଅଣାଯାଇଥିବାବେଳେ ଲୋକନାଥ ବାବା, ଜାଗେଶ୍ୱର ବାବା, ଶୀତଳେଶ୍ୱର ବାବା ଓ ଗୁପ୍ତେଶ୍ୱର ବାବାଙ୍କ ବିବାହ ପାଇଁ ହନୁମାନ ମହାପ୍ରଭୁ ଗୁଆଗୁଁଡ଼ା ନିଉତା ଦେଇଥିଲେ। ବାଲିବନ୍ଧା ସାମିଆଗୁଡ଼ିର ସୋମନାଥ ବାବାଙ୍କ ପତରପେଁଡ଼ି ସୋମବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷର କନ୍ୟା ପିତାମାତା ଶିବ ନାରାୟଣ ପାଣିଗ୍ରାହୀ ଓ ସନ୍ଧ୍ୟା ମାତା ପାର୍ବତୀଙ୍କୁ କନ୍ୟା ଭାବେ ସୋମନାଥ ବାବାଙ୍କୁ କନ୍ୟାଦାନ ପାଇଁ ସଂକଳ୍ପ କରିଥିଲେ। ଏଥିରେ ସପ୍ତଋଷି ଭାବେ ଡ. ବିଜୟ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଲୋକନାଥ ପାଣ୍ଡେ, ବୃହସ୍ପତି ସ୍ୱାଇଁ, ଗୋକୁଳି ପଣ୍ଡା, ପ୍ରଶାନ୍ତ ଦୀକ୍ଷିତ ଓ ଗୋପାଳ ଗୁପ୍ତା ଭାଗ ନେଇଥିଲେ। ମନ୍ଦିର ଟ୍ରଷ୍ଟ ସଭ୍ୟ ନିହାର ରଞ୍ଜନ ବହିଦାର, ଲକ୍ଷ୍ମଣ ପଟେଲ, ସଞ୍ଜୁ ଦେହୁରୀ, ଅରକ୍ଷିତ ନାୟକ, ମନବୋଧ ପାଢ଼ୀ, କୈଳାସ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।