ସମ୍ବଲପୁର,ଏନ୍ଏନ୍ଏସ୍: ପ୍ରାଜ୍ଞଶ୍ରୀ ସଲ୍ୟୁସନ ତରଫରୁ ଚତୁର୍ଥ ସମ୍ବଲପୁର ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଆସନ୍ତା ଡିସେମ୍ବର ୨୨ତାରିଖରେ ଆୟୋଜିତ ହେବ। ଚଳିତ ବର୍ଷ ସ୍ଥାନୀୟ ପାନ୍ଥନିବାସ ନିକଟସ୍ଥ ତପସ୍ୱିନୀ ପ୍ରୋକ୍ଷାଳୟରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଦେଶ ଏବଂ ବିଦେଶରୁ ଆସିଥିବା କ୍ଷୁଦ୍ର ଚଳଚ୍ଚିତ୍ର (ସଟଫିଲ୍ମ) ଏବଂ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯିବ ବୋଲି ଫିଲ୍ମ ଫେଷ୍ଟିଭାଲର ପରିଚାଳନା ନିର୍ଦ୍ଦେଶକ ପାଣିନୀ ପ୍ରାଜ୍ଞ ସୂଚନା ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ଯେ, ଏଥର କଳାକ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଚଳଚ୍ଚିତ୍ର ଅଭିନେତା ବରଗଡ଼ର ପୃଥ୍ୱୀରାଜ ନାୟକଙ୍କୁ ପ୍ରଜ୍ଞାଶ୍ରୀ ସମ୍ମାନ ପ୍ରଦାନ କରାଯିବ। ଫିଲ୍ମ ଫେଷ୍ଟିଭାଲ ଅବସରରେ ଓଡ଼ିଶାରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବୃତ୍ତଚିତ୍ର ମଧ୍ୟରେ ଏକ ପ୍ରତିଯୋଗିତା ରଖାଯାଇ ପ୍ରାୟ ୧୫ଟି ବିଭାଗରେ ପୁରସ୍କୃତ କରାଯିବ। ପୁରସ୍କାର ବାବଦକୁ ଅର୍ଥରାଶି, ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ ପ୍ରଥମ ଥରପାଇଁ ଯୁବବର୍ଗ ଏବଂ ଦର୍ଶକଙ୍କ ଚାହିଦାକୁ ଆଖିଆଗରେ ରଖି ୟୁଟ୍ୟୁବରେ ଅପଲୋଡ଼ ହୋଇଥିବା ଗୀତ, ଷ୍ଟୁଡିଓ ଭର୍ସନ, ଆଲବମ, କମେଡି ଆଦି ପାଇଁ ପ୍ରତିଯୋଗିତା ରଖାଯାଇଛି।
ପ୍ରାୟ ୧୭ଟି ବର୍ଗରେ ମନୋନୀତ ଭିଡିଓଗୁଡ଼ିକୁ ପୁରସ୍କୃତ କରାଯିବ। ଏହାସହ ଟିକଟକ୍ ପ୍ରତିଯୋଗିତା ମଧ୍ୟ ରଖାଯାଇଛି। ଟିକ୍ ଟକ୍ କିଙ୍ଗ, ଟିକ୍ ଟକ୍ କୁଇନ ଏବଂ ଟିକ୍ ଟକ୍ କିଡସ୍ ତିନୋଟି ବର୍ଗରେ ଏଥିପାଇଁ ପୁରସ୍କୃତ କରାଯିବ। ସବୁ ବର୍ଗ ପାଇଁ ଶହେରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେ ଦିନ ପୂର୍ବାହ୍ଣ ୧୧ଟାରେ ଫେଷ୍ଟିଭାଲର ଉଦ୍ଘାଟନ କରାଯିବ। ସନ୍ଧ୍ୟା ୫ଟାରୁ ପୁରସ୍କାର ବିତରଣୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଚଳିତ ବର୍ଷ ଅତିଥିମାନଙ୍କ ମଧ୍ୟରେ ପଦ୍ମଶୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ, ଅଭିନେତା କୁନା ତ୍ରିପାଠୀ, ପ୍ରଯୋଜକ ପ୍ରଦୀପ ଭୋଳ, ହାସ୍ୟ କଥାକାର ହୃଷୀକେଶ ଦାଶ, ଅଭିନେତା ପ୍ରଦୀପ ଦତ୍ତ, ଅଭିନେତ୍ରୀ ଦୀପା ସାହୁ, ଇଜି, ଅଭିନେତା ରାଣା, କମେଡିଆନ ବିନ୍ଦୁ ପ୍ରମୁଖଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାସହ ଏହି ଅବସରରେ ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ଚଳଚ୍ଚିତ୍ର ଆଲବମ୍ ସହିତ ଜଡ଼ିତ ଥିବା ବହୁ କଳାକାର ତଥା ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ଫେଷ୍ଟିଭାଲର ନିର୍ଦ୍ଦେଶକ ନାରାୟଣ ଅଗ୍ରୱାଲ, ଜନସମ୍ପର୍କ ଅଧିକାରୀ ପ୍ରମୋଦ ମହାପାତ୍ର, ସଂଯୋଜକ ଶାନ୍ତ୍ୱନୁ ହୋତା, ବୈଷୟିକ ନିର୍ଦ୍ଦେଶକ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।