ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ବନ୍ଦ ପାଳନ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଗୁରୁବାର ଆରମ୍ଭ ହୋଇଛି ବନ୍ଦପାଳନ। ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନକୁ ବାଦ ଦେଇ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାନୁଷ୍ଠାନ ସମେତ କୋର୍ଟ ଓ ବୀମା କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଗାଡ଼ି ଚଳାଚଳ ସ୍ୱାଭାବିକ ରହିବ ଓ ଦୋକାନ ବଜାର ମଧ୍ୟ ଖୋଲା ରହିବ।

ଅନ୍ୟପକ୍ଷରେ ଝାରସୁଗୁଡ଼ା ଓକିଲ ସଂଘ ପକ୍ଷରୁ ସମାନ ଦାବି ନେଇ ୩ଦିନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ପକ୍ଷରୁ ଗୁରୁବାର, ଶୁକ୍ରବାର ଓ ସୋମବାର ବନ୍ଦ ଡାକରା ଦିଆଯାଇଛି। ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟିକୁ କ୍ରିୟାଶୀଳ କରାଯାଇନଥିବା ଜଣାଯାଇଛି। ତେବେ ଏହା ମଧ୍ୟ ଆନ୍ଦୋଳନର ଅନ୍ୟଏକ କାରଣ ହୋଇଥିବା ଜଣାଯାଇଛି।

ସେହିପରି ଦେବଗଡ ଜ଼ିଲ୍ଲା ଓକିଲ ସଂଘ ପକ୍ଷରୁ ତିନିଦିନିଆ ବନ୍ଦ ପାଳନ ଆରମ୍ଭ ହୋଇଛି। ପୂର୍ବାହ୍ନରେ ଜ଼ିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସଂଘର ସଭାପତି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଓକିଲ ସଂଘର ସଦସ୍ୟମାନେ ହାତରେ ଲିଫାଲେଟ ଓ ବିଭିନ୍ନ ସ୍ଲୋଗାନ ଦେଇ ହାଇକୋର୍ଟର ସ୍ଥାଇବେଞ୍ଚ ପ୍ରତିଷ୍ଠି ଦାବି କରିଛନ୍ତି। ସେହିପରି କୋର୍ଟ କାର୍ୟ୍ୟରେ ଯୋଗଦେବାକୁ ଆସୁଥିବା ଜ଼ିଲ୍ଲା ଜଜଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କୁ କୋର୍ଟ ମଧ୍ୟକୁ ଛାଡ଼ି ନଥିଲେ। ଓକିଲଙ୍କ ଆନ୍ଦୋଳନ ଫଳରେ ଜ଼ିଲ୍ଲାରେ ଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ୟ୍ୟାଳୟ ,ବ୍ୟାଙ୍କ ,ପୋଷ୍ଟ ଅଫିସ ବନ୍ଦ ରହିଥିବାବେଳେ ସ୍କୁଲ ,ମେଡିକାଲ ଓ ଯାନବାହାନକୁ ବାଦ ଦିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଈଁ ବିଭିନ୍ନ ଅଞ୍ଚଳରେ ପୁଲିସ ପଇଁତରା ଦେଉଥିବା ଦେଖିବାକୁ ମିଳିଛି।