ସମଲେଶ୍ୱରୀଙ୍କ ପୀଠରେ ଖୁବଶୀଘ୍ର ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ

ଖର୍ଚ୍ଚ ହେବ ୮ କୋଟି
ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଧ୍ୟାତ୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଏଥିପ୍ରତି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ଥିବା ପ୍ରମୁଖ ଧାର୍ମିକ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ସମ୍ବଲପୁରର ମା’ସମଲେଶ୍ୱରୀଙ୍କ ପୀଠର ସୌନ୍ଦର୍ଯ୍ୟକରଣ ଦିଗରେ ପଦକ୍ଷେପ ନିଆଯାଇଛି। ଏଠାରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ ଶୋ’ ବ୍ୟବସ୍ଥା ଆରମ୍ଭ କରିବାକୁ ସ୍ଥିର ହୋଇଥିବା ବେଳେ ଏଥିଲାଗି ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଅଧା ଶେଷ ହେଲାଣି। ଖୁବଶୀଘ୍ର ସମଲେଶ୍ୱରୀଙ୍କ ପୀଠରେ ହେବ ଶବ୍ଦ ଆଉ ଆଲୋକର ଖେଳ। ଏନେଇ ଭୁବନେଶ୍ୱର ପାନ୍ଥନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।

ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ମନ୍ଦିରର ମାହାତ୍ମ୍ୟ ବିଷୟରେ ପର୍ଯ୍ୟଟକମାନେ ଅବଗତ ହୋଇପାରିବେ। ଏଥିପାଇଁ ୮କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ କୋଣାର୍କରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ ବ୍ୟବସ୍ଥା କରିଥିବା ଟ୍ରାଇକଲର୍ ସଂସ୍ଥା ଏହାର ଦାୟିତ୍ୱ ନେଇଛନ୍ତି। ବର୍ତ୍ତମାନ ଏହାର ସ୍କ୍ରିପ୍ଟ୍ଟ ବା କାହାଣୀ ବର୍ଣ୍ଣନା କାମ ଚାଲିଛି। ଜିଲ୍ଲାସ୍ତରରେ ଏକ କମିଟି ଗଠନ କରାଯାଇ କାହାଣୀ ପ୍ରସ୍ତୁତି କାମ ଚାଲିଛି। ତାହା ଯେତେ ଶୀଘ୍ର ସରିବ ସେତେ ଶୀଘ୍ର ଏହି ଶୋ’ର ଶୁଭାରମ୍ଭ ହେବ। ବିଶେଷକରି ଓଡ଼ିଆ, ସମ୍ବଲପୁରୀ ସମେତ ହିନ୍ଦୀ ଓ ଇଂରାଜୀ ଭାଷାରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ ପ୍ରଦର୍ଶିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।