ଅଧିଷ୍ଠାତ୍ରୀ ମା’ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜାତ୍ସୋବ ପ୍ରସ୍ତୁତି ଆରମ୍ଭ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ପାଇଁ ମନ୍ଦିର କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅକ୍ଟୋବର ୧୭ ତାରିଖରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ମା’ସମଲେଶ୍ୱରୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବ। କୋଭିଡ କଟକଣା ଯୋଗୁଁ ମା’ଙ୍କ କେବଳ ପୂଜାବିଧି ଅନୁଷ୍ଠିତ ହେବ। ସେହିପରି ଭକ୍ତଙ୍କୁ ମନ୍ଦିର ପ୍ରବେଶ ବାରଣ ହୋଇଛି। ଶାରଦୀୟ ନବ ଦିନାତ୍ମକ ପୂଜା ପାଇଁ ୧୭ ତାରିଖ ଶନିବାର ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଅବସରରେ ସକାଳ ୭ଟା ୨୧ମିନିଟରୁ ୯ଟା ୪୧ମିନିଟ ମଧ୍ୟେ କଳସ ଆବାହନ ପୂର୍ବକ ପ୍ରଥମ ଦିବସ ବିହିତ ପୂଜାରମ୍ଭ ତଥା ମାନସିକ ଦୀପ ପ୍ରଜ୍ଜ୍ବଳନ କରାଯିବ।

ଏହି ଦିନ ମା’ଙ୍କୁ ଶୈଳପୁତ୍ରୀ ବେଶରେ ପୂଜାର୍ଚ୍ଚନା କରାଯିବ। ସେହିପରି ୧୮ ତାରିଖ ରବିବାର ଆଶ୍ୱିନ ଶୁକ୍ଳ ଦ୍ୱିତୀୟାରେ ବ୍ରହ୍ମଚାରିଣୀ, ୧୯ ତାରିଖ ସୋମବାର ଆଶ୍ୱିନ ଶୁକ୍ଳ ତୃତୀୟା ଯୁକ୍ତ ଚତୁର୍ଥ ଅବସରରେ ମା’ଙ୍କୁ ଚନ୍ଦ୍ରଘଣା୍ଟ ଏବଂ କୁଷ୍ମାଣ୍ଡା ବେଶରେ ପୂଜା କରାଯିବ। ୨୦ ତାରିଖ ମଙ୍ଗଳବାର ଆଶ୍ୱିନ ଶୁକ୍ଳ ପଞ୍ଚମୀ ସ୍କନ୍ଧମାତା ବେଶ, ୨୧ ତାରିଖ ବୁଧବାର ଆଶ୍ୱିନ ଶୁକ୍ଳ ଷଷ୍ଠୀ କାତ୍ୟାୟନୀ, ୨୨ ତାରିଖ ଗୁରୁବାର ଆଶ୍ୱିନ ଶୁକ୍ଳ ସପ୍ତମୀ କାଳରାତ୍ରି ବେଶରେ ସଜ୍ଜିତ କରାଯାଇ ପୂଜା କରାଯିବ।

ସେହିପରି ୨୩ ତାରିଖ ଶୁକ୍ରବାର ଆଶ୍ୱିନ ଶୁକ୍ଳ ଅଷ୍ଟମୀ ଅବସରରେ ମା’ସମଲେଶ୍ୱରୀ ମହାଗୌରୀ ବେଶରେ ଦର୍ଶନ ଦେବେ। ଏହି ଦିନ ପଶ୍ଚିମ ଓଡ଼ିଶାରେ ଭାଇମାନଙ୍କ ଦୀର୍ଘାୟୁ କାମନା କରି ଭଉଣୀମାନେ ଭାଇଜୁତିଆ ଓଷା ପାଳନ କରିବେ। ୨୪ ତାରିଖ ଶନିବାର ଆଶ୍ୱିନ ଶୁକ୍ଳ ମହାନବମୀ ଅବସରରେ ମା’ସମଲେଶ୍ୱରୀଙ୍କ ସିଦ୍ଧିଧାତ୍ରୀ ବେଶ ଅନୁଷ୍ଠିତ ହେବ। ଏନେଇ ସକାଳ ୬ଟା ୧୮ମିନିଟରୁ ସନ୍ଧି ପୂଜା, ୬ଟା ୪୨ମିନିଟରେ କୁଷ୍ମାଣ୍ଡା ବଳିଦାନ ଅନୁଷ୍ଠିତ ହେବବୋଲି ପଣ୍ଡିତ ଶିବଶଙ୍କର ଦାଶ ଏବଂ ପଣ୍ଡିତ ଚୂଡାମଣୀ ରଥ ସୂଚନା ଦେଇଛନ୍ତି।

ଅକ୍ଟୋବର ୨୫ ତାରିଖ ରବିବାର ଆଶ୍ୱିନ ଶୁକ୍ଳ ବିଜୟା ଦଶମୀରେ ଚଣ୍ଡୀ ହୋମ ସହ ପୂର୍ଣ୍ଣାହୁତି ତଥା ଅପରାଜିତା ପୂଜନ, ଆର୍ଶୀବାଦ ପ୍ରଦାନ କରାଯିବ। ଏହି ଦିନ ଦେବୀଙ୍କୁ ଅନ୍ନପୂର୍ଣ୍ଣା ବେଶରେ ସଜ୍ଜିତ କରାଯିବ। ସେହିପରି ଅକ୍ଟୋବର ୩୧ ତାରିଖ ଶନିବାର କୁମାର ପୂର୍ଣ୍ଣିମା ଅବସରରେ ମା’ସମଲେଶ୍ୱରୀ ଦେବୀଙ୍କ ରାଜ ରାଜେଶ୍ୱରୀ ବେଶ ଏବଂ ରାତ୍ରିରେ ବଇଲ ପର୍ବ ଅନୁଷ୍ଠିତ ହେବ।