ସମଲେଈଙ୍କ ଖଣ୍ଡାଧୁଆ, ପାଟଣେଶ୍ୱରୀଙ୍କ ସୁନାବେଶ

ସମ୍ବଲପୁର,ଏନ୍ଏନ୍ଏସ୍: ଶାରଦୀୟ ଦଶହରାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ସମେତ ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ସମ୍ପନ୍ନ ହୋଇଛି। ସେହିପରି ପୂଜା ମଣ୍ଡପମାନଙ୍କରେ ମହାସପ୍ତମୀ ଓ ମହାଅଷ୍ଟମୀ ପୂଜା କରାଯାଇଛି। ସମଲେଈଗୁଡ଼ିରେ ମହାଷ୍ଟମୀ ପୂଜା ସହ ଖଣ୍ଡାଧୁଆ ବିଧି କରାଯାଇଛି। ଏଥିରେ ପୂଜକମାନେ ସମଲେଶ୍ୱରୀ ଆଖଡ଼ା ମଣ୍ଡଳୀର ଆଖଡ଼ା ପ୍ରଦର୍ଶନ ସହ ମା’ଙ୍କ ଅସ୍ତ୍ରଶସ୍ତ୍ର ମହାନଦୀ ମଚ୍ଛିନ୍ଦ୍ର ଘାଟକୁ ନେଇ ପୁଣି ମନ୍ଦିରକୁ ଫେରିଥିଲେ।

ସେହିପରି ଆଜି ଅପରାହ୍ନରୁ ଦେବୀ ପାଟଣେଶ୍ୱରୀ ସୁନାବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ପ୍ରାୟ ୨୫ ଭରିରୁ ଅଧିକ ସୁନାମାଳି, ଚୁଡ଼ି, କାନଫୁଲ, ମଥାମଣି, ଅଣ୍ଟାସୁତା, ବାହା ସୁତାରେ ସଜ୍ଜିତ କରାଯାଇଥିଲା। ସହରର ଧନୁପାଲି, ଗୋବିନ୍ଦତୋଲା, ଜେଲ୍ଛକ, ଦଲେଇପଡ଼ା, ହାଟପଡ଼ା, ନନ୍ଦପଡ଼ା, ଝାଡ଼ୁଆପଡ଼ା, କୁଞ୍ଜେଲପଡ଼ା, ବାଲିବନ୍ଧା, ପଟ୍ଟନାୟକପଡ଼ା, ମହାନ୍ତିପଡ଼ା, କଂସାରୀପଡ଼ା, କମଲିବଜାର, ସାହେବ ବଙ୍ଗଲା ପଡ଼ା, ବଡ଼ବଜାର ବଙ୍ଗାଲିପଡ଼ା, ଅଇଁଠାପାଲି ଛକ, ଅଇଁଠାପାଲି ଢ଼ୁକୁ ପଡ଼ା, ବୁଢ଼ାରଜା, ଫାଟକ, ଧୁଚୁରାପଡ଼ା, ଲକ୍ଷ୍ମୀଟକୀଜ ଛକ, ଗୋପାଲମାଲ, ରେଲୱେ କଲୋନୀ, ଆମ୍ବେଦକର ନଗର, ନୂଆଁପଡ଼ା ହିନ୍ଦୀସ୍କୁଲ ଗଲି, ଭତରା, ସିନ୍ଦୁରପଙ୍କ ଛକ ସମେତ ୫୦ରୁ ଅଧିକ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପ ହୋଇଛି।

ଗତ କିଛି ବର୍ଷ ହେଲା ବାଉଁଶ ଓ କନାରେ ତିଆରି ବିଶାଳ ତୋରଣ ଏବଂ ଆଲୋକ ସାଜସଜ୍ଜା ଏବଂ ସଂଗୀତ କାର୍ଯ୍ୟକ୍ରମ ଉପରେ ପୂଜା କମିଟି ଗୁଡ଼ିକ ଗୁରୁତ୍ୱ ଦେଉଥିଲେ ହେଁ କେତେକ ପୂଜା କମିଟି ନିଖୁଣ ମୃଣ୍ମୟ ପ୍ରତିମା, କଳାକୁଞ୍ଜ ଉପରେ ଏବେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଦଲେଇପଡ଼ାରେ ମୃଣ୍ମୟ ପ୍ରତିମାଙ୍କ ଠାରୁ ଆରମ୍ଭ କରି ସମସ୍ତ ସାଜସଜ୍ଜା ପଡ଼ାର ଯୁବକମାନେ କରିଥିବା ବେଳେ ଏଥର ମୁଖ୍ୟରାସ୍ତାରୁ ପୂଜା ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାରେ ବିଦ୍ୟୁତ୍ ସଂଚାଳିତ ଜୁରାସିକ୍ ପାର୍କ କରାଯାଇଛି।

ସେଥିରେ ବିଶାଳକାୟ ଚଳମାନ ଡାଇନୋସର ଓ ଆନାକୋଣ୍ଡା ପ୍ରତିକୃତି ବେଶ୍ ଆକର୍ଷଣୀୟ ହୋଇଛି। ଆଜି ଭାଇଜିଉଁତିଆ ହୋଇଥିବାରୁ ବିବାହିତା ମହିଳା ଓ ଯୁବତୀମାନେ ନିର୍ଜଳା ଉପବାସ ରଖି ସନ୍ଧ୍ୟାରେ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।