ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଦେବଗଡ଼, ଏନ୍ଏନ୍ଏସ୍: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନକ୍ରମେ ୩ ଜଣ ଭିନ୍ନକ୍ଷମ ଦମ୍ପତି କାଳିପଥରର ସୁମିତ୍ରା ମାଝୀ ଓ ସଞ୍ଜୟ କୁମାର ବେହେରା, ପରାର ହେମଲତା ବେହେରା ଓ ଦୁଃଖବନ୍ଧୁ ନାଏକ ଏବଂ ବୀନୋତି ନାଏକ ଓ ଜୟନ୍ତ କୁମାର ନାଏକଙ୍କୁ ବିବାହ ପ୍ରୋତ୍ସାହନ ରାଶି ସ୍ୱରୂପ ପ୍ରତ୍ୟେକ ଦମ୍ପତିଙ୍କୁ ପଚାଶ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେହିଭଳି ଖିଲେଇ ନିବାସୀ ଲୋକନାଥ ସାହୁ ଓ ବିଶ୍ୱନାଥ ଗଡତିଆଙ୍କୁ ସେମାନଙ୍କର ଅର୍ଥନୈତିକ ବିକାଶ ନିମନ୍ତେ ବ୍ୟବସାୟ ପାଇଁ ଏକ୍ସିସ୍ ବ୍ୟାଙ୍କ ଜରିଆରେ ପ୍ରତ୍ୟେକଙ୍କୁ ପନ୍ଦର ହଜାର ଟଙ୍କା ଲେଖାଏଁ ଋଣ ମଞ୍ଜୁର କରାଯାଇଛି। ଆଜି କଲେକ୍ଟରେଟଠାରେ ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଏହି ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧିର କୁମାର ନଇ ଓ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁଜନ୍ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।