ଅବସର ପ୍ରାପ୍ତ କର୍ମଚାରୀଙ୍କ ଦରମା ହଡପ ଘଟଣା, ଉପ ନଗରପାଳ ଓ ପାରିଷଦଙ୍କ ସାମ୍ବାଦିକ ସମ୍ମିଳନୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌର ପରିଷଦରେ ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କ ବକେୟା ଦରମା ଅର୍ଥ ହଡପ ମାମଲା ଦେବଗଡ଼ ପୌର ରାଜନୀତିକୁ ସରଗରମ କରିଛି। ଏହି ଅର୍ଥ ହଡପ ଘଟଣାକୁ ନେଇ ଆଜି ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉପ ନଗରପାଳ ପ୍ରଜିତ କୁମାର ଭୋଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, କାର୍ତ୍ତିକ ମହାକୁଳ, ଇତିଶ୍ରୀ ମିଶ୍ର ଓ ସରୋଜିନୀ ମୁଣ୍ଡାଙ୍କ ଉପସ୍ଥିତିରେ ପ୍ରତାରଣାର ଶିକାର ହୋଇଥିବା ଅବସରପ୍ରାପ୍ତ କର୍ମଚାରୀ ଜଗ ମୁଣ୍ଡା ଉପସ୍ଥିତ ରହି ଦେବଗଡ଼ ପୌର ପରିଷଦରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।

ଏଥିସହ ପୌର ପରିଷଦ ମହା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଜଗ ମୁଣ୍ଡା ବ୍ୟକ୍ତିଗତ ଭାବେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଥିଲେ। ଏଥିସହ ଅବସର ପୌର କର୍ମଚାରୀ ଜଗ ମୁଣ୍ଡାଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ଦିଆଯାଇଥିବା ଆକାଉଣ୍ଟ ଭୁବନ ମୋହନ ନାଏକ ଓ ଅମୃତ୍ତି ସାହୁଙ୍କ ନାମରେ ରହିଛି।

ତେବେ ସେମାନଙ୍କ ପୌର ପରିଷଦ ସହ କି ସମ୍ପର୍କ ରହିଛି ତାହାର ତଦନ୍ତ ସହ ଏହି ଘଟଣାରେ ପୌର ନିର୍ବାହୀ ଅଧିକାରୀ ଆତସୀ ପରିଡା ଓ ତତ୍କାଳୀନ ପୌର ପ୍ରଶାସକ ସୁଧାଂଶୁ ମୋହନ ସାମଲଙ୍କ ଭୂମିକାକୁ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏଥିସହ ଦେବଗଡ଼ ପୌର ପରିଷଦ ମହା ଦୁର୍ନତିକୁ ବାଟବଣା କରାଇବାକୁ ଉଦ୍ୟମ କରାଗଲେ ପୌର ପରିଷଦରୁ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।