‘ଶଲା ବୁଢା’ ଅଭିନେତା ଅଟଳବିହାରୀ ପଣ୍ଡା ଆଉ ନାହାନ୍ତି

ବଲାଙ୍ଗିର,ସୋନପୁର,ଏନ୍ଏନ୍ଏସ୍: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା ତଥା ପ୍ରିୟ ‘ଶଲା ବୁଢା’ ଆଉ ନାହାନ୍ତି । ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଗତ ମାସ ୧୬ ତାରିଖରେ ଶ୍ରୀ ପଣ୍ଡାଙ୍କ ପତ୍ନୀ ଲଳିତାଙ୍କ ଦେହାନ୍ତ ହୋଇଥିଲା। ସ୍ତ୍ରୀଙ୍କ ଦେହାନ୍ତ ପରେ ଶ୍ରୀ ପଣ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗଡ଼ିବାରେ ଲାଗିଥିଲା। ବାରମ୍ବାର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଶ୍ରୀ ପଣ୍ଡା ସୋନପୁର ଜିଲ୍ଲା ବିନକାର ବାସିନ୍ଦା ହୋଇଥିବାବେଳେ ଶେଷ ସମୟରେ ବଲାଙ୍ଗିର ଓ ବୁର୍ଲାରେ ପିଲାଙ୍କ ସହ ରହୁଥିଲେ। ତାଙ୍କ ବିୟୋଗରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଲହରୀ ଖେଳିଯାଇଛି।

ଶ୍ରୀ ପଣ୍ଡା ଏକାଧାରରେ ଜଣେ ବିଚକ୍ଷଣ ଅଭିନେତା, ଗାଳ୍ପିକ, ନାଟ୍ୟକାର, ଗୀତିକାର ଓ କବି ସହିତ କୋଶଲି ଭାଷା ସାହିତ୍ୟରେ ଅନେକ ରଚନାର ରଚୟିତା ଥିଲେ। ଶଲାବୁଢ଼ା, ଶଲାବୁଢ଼ାର ବଦଲା ଓ ଆଦିମ ବିଚାରରେ ତାଙ୍କର ନିଖୁଣ ଅଭିନୟ ଲୋକଙ୍କୁ ବେଶ ପ୍ରଭାବିତ କରିଥିଲା । ସେହିପରି ଫଟା କପାଲ, ଫଟା ମାନ୍ଦଲ, ଲେଂଝା ତରା ଭଳି ଅନେକ କୋଶଲି ନାଟକ ସମେତ କୋଶଲି ଉପନ୍ୟାସ ଦେବୀ ଓ ବାଂଦୁ ଉବାଚର ସେ ରଚୟିତା ଥିଲେ। ଏଥିସହିତ ମିଷ୍ଠଭାଷୀ, ଆତ୍ମୀୟତା ଓ ସମସ୍ତଙ୍କୁ ସାଉଁଟି ନେବା ଭଳି ଚରିତ୍ରର ସେ ଅଧିକାରୀ ଥିଲେ । ତାଙ୍କର ବିୟୋଗ କୋଶଲି କଳା, ଭାଷା ସହିତ୍ୟ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।