ସମ୍ବଲପୁରୀ ଶାଢ଼ୀରେ ଫିଲ୍ମ ‘ଶକୁନ୍ତଳା’ର ଇ-ପ୍ରମୋଟ କଲେ ବିଦ୍ୟା ବଲନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଲିଉଡର ସୁପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟା ବଲନ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଥିବା ଦେଖିବାକୁ ମିଳିଛି। ସେ ସମ୍ବଲପୁରୀ ଶାଢ଼ୀରେ ତାଙ୍କର ଫିଲ୍ମ ‘ଶକୁନ୍ତଳା’କୁ ଇ-ପ୍ରମୋଟ କରିଛନ୍ତି। ଏହାସହ ସମ୍ବଲପୁରୀ କାରିଗରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ସେ ଏକ ପ୍ରମୋଟ୍ ଭିଡ଼ିଓରେ କହିଛନ୍ତି, ସବୁ ସମ୍ବଲପୁରୀ କାରିଗରଙ୍କୁ ମୋର ନମସ୍କାର। ମତେ ଏହି ଶାଢ଼ୀ ବହୁତ୍ ପସନ୍ଦ ଆସିଛି। ମତେ ବିଶ୍ୱାସ ହେଉନି ଯେ ଶକୁନ୍ତଳା ଫିଲ୍ମ ରିଲିଜ୍ ହେବା ସମୟରେ ମୁଁ ଏହି ଶାଢ଼ୀ ପିନ୍ଧିପାରୁଛି। ସେ ଆହୁରି ମଧ୍ୟ କହିଛନ୍ତି, ଏ ସମୟ ସମସ୍ତଙ୍କ ପାଇଁ କଷ୍ଟଦାୟକ। ଏ ସମୟ ଚାଲିଯିବ। କଷ୍ଟ ମଧ୍ୟ ପଳାଇଯିବ। ବିଶ୍ୱାସ ରଖିବା ସହ ଆପଣମାନେ ନିଜର ଯତ୍ନ ନିଅନ୍ତୁ। ଆପଣ ସମସ୍ତେ ଆମ ପାଇଁ ମୂଲ୍ୟବାନ ଅଟନ୍ତି। ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ବୋଲି ସମ୍ବଲପୁରୀ ଶାଢ଼ୀ କାରିଗରମାନଙ୍କୁ ସେ କହିଛନ୍ତି।

ସୂଚନା ଅନୁଯାୟୀ, ଜୁଲାଇ ୩୧ ତାରିଖରେ ବିଦ୍ୟାବଲନଙ୍କ ‘ଶକୁନ୍ତଳା’ ଫିଲ୍ମ ରିଲିଜ୍ ଉଦ୍ଦେଶ୍ୟରେ ସମ୍ବଲପୁରୀ ଶାଢ଼ୀ କାରିଗର ରମାକାନ୍ତ ମେହେର ବିଦ୍ୟାଙ୍କୁ ଏକ ବାନେ୍ଧଣୀ ସମ୍ବଲପୁରୀ ଶାଢ଼ୀ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ବିଦ୍ୟା ଏହାକୁ ପିନ୍ଧି ବହୁତ ଖୁସି ଅନୁଭବ କରିବା ସହ ତାଙ୍କ ଫିଲ୍ମର ପ୍ରମୋଟ୍ କରିଛନ୍ତି। ଏହି ଭିଡ଼ିଓଟି ଓଡ଼ିଶା ପର୍ଯ୍ୟଟନ ବିଭାଗ ଟୁଇଟର ପେଜରେ ପୋଷ୍ଟ ହେବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାରା ଦେଶରେ ସମ୍ବଲପୁରୀ ଶାଢ଼ୀ ଆହୁରି ପରିଚିତ ହୋଇଯାଇଛି। ସମ୍ବଲପୁରୀ ଶାଢ଼ୀ ପ୍ରତି ବିଦ୍ୟା ବଲନଙ୍କ ଏଭଳି ଉତ୍ସାହ ଓ ଖୁସି ଦେଖି ତାଙ୍କୁ ଓଡ଼ିଶାରୁ ଧନ୍ୟବାଦର ସୁଅ ଛୁଟିଛି।