ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ସଇଁନ୍ତଳା, ଏନ୍ଏନ୍ଏସ୍: ବଲାଙ୍ଗିର ସଦର ଥାନା ମାଗୁରବେଡ଼ା ଫାଣ୍ଡି ତଥା ଲୋଇସିଂହା ବ୍ଲକ୍ ଅଧୀନ ତଲିଉଡାର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ ମହିଳାଙ୍କ ବାପା ସଦର ଥାନାରେ ଅଭିଯୋଗ କରିବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ମୃତା ମହିଳାଙ୍କ ବାପା ଲୋଇସିଂହା ବ୍ଲକ୍ ରେଙ୍ଗାଲି ଗ୍ରାମର ବ୍ରଜ ସାହୁଙ୍କ ଅଭିଯୋଗ ମୁତାବକ, ଗତ ୨୦୧୪ ମସିହାରେ ତଲିଉଡାର ବାସିନ୍ଦା ବଲ୍ଲଭ ପଧାନଙ୍କ ସହ ତାଙ୍କ ଝିଅ ରୁକ୍ମଣୀ(୨୫)ଙ୍କ ବିବାହ ହୋଇଥିଲା। ବିବାହ ସମୟରେ ସାଧ୍ୟ ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା । ତେବେ ବିବାହର ୨/୩ ବର୍ଷ ପରେ ରୁକ୍ମଣୀଙ୍କ କୌଣସି ସନ୍ତାନ ସନ୍ତତି ନ ହେବାରୁ ତାଙ୍କ ଉପରେ ଆରମ୍ଭ ହୋଇ ଯାଇଥିଲା ଉଭୟ ଶାରୀରିକ ଓ ମାନସିକ ନିଯ୍ୟାତନା। ଏନେଇ ଜାତି ଭାଇଙ୍କ ଉପସ୍ଥିତିରେ ପୂର୍ବରୁ ଅନେକ ଥର ସମାଧାନ କରାଯାଇଥିଲେ ହେଁ ରୁକ୍ମଣୀଙ୍କ ଉପରେ ନିଯ୍ୟାତନା କମି ନଥିଲା। ସୋମବାର ସକାଳେ ବ୍ରଜଙ୍କ ପୁଅ ପ୍ରତାପ ନିକଟକୁ ରୁକ୍ମଣୀ ମରିଯାଇଥିବା ନେଇ ଫୋନ ଆସିବା ପରେ ବ୍ରଜ ତାଙ୍କର କିଛି ସମ୍ପର୍କୀୟଙ୍କୁ ନେଇ ଝିଅର ଶାଶୂ ଘର ତଳିଉଡାର ଗ୍ରାମକୁ ଆସିଥିଲେ । ସେ ପହଞ୍ଚିବା ପରେ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ପରିସ୍ଥିତିରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ବ୍ରଜ ସାହୁ ପୁଲିସ ନିକଟରେ ଅଭିଯୋଗ କରିବା ସହିତ ଏଥିପାଇଁ ମୃତା ମହିଳାଙ୍କ ସ୍ୱାମୀ ବଲ୍ଲଭ ପଧାନଙ୍କୁ ହିଁ ଦାୟୀ କରିଛନ୍ତି । ମାଗୁରବେଡା ଫାଣ୍ଡି ଅଧିକାରୀ ମଳୟ ପଣ୍ଡା ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।