ସନ୍ୟାସୀ ପରମ୍ପରା ଅନୁଯାୟୀ ନିଜ ପିତାମାତାଙ୍କଠାରୁ ଶେଷ ଭିକ୍ଷା ପାଇଁ ୨୨ ବର୍ଷ ପରେ ଗାଁକୁ ଫେରିଲେ ସନ୍ୟାସୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ଅନ୍ତର୍ଗତ ତାରଙ୍ଗ ଗ୍ରାମର ଲମ୍ବୋଦର ସାହୁ ୨୨ ବର୍ଷ ପୂର୍ବେ ଗୃହ ତ୍ୟାଗ କରି ଅଲେଖ ମହିମା ଧର୍ମରେ ବ୍ରତ ଧାରଣ କଲା ପରେ ଆଜି ବହୁ ସାଧୁ ସନ୍ୟାସୀଙ୍କ ଗହଣରେ ପୁଣିଥରେ ନିଜ ଗ୍ରାମକୁ ଫେରିଛନ୍ତି । ପିତା ବିଷ୍ଣୁଚରଣ ସାହୁ ଓ ମାତା କଦଳୀ ସାହୁଙ୍କଠାରୁ ଭିକ୍ଷା ଗ୍ରହଣ କଲା ପରେ ନିଜ ଗ୍ରାମ ତାରଙ୍ଗର ପ୍ରତ୍ୟେକ ଘରକୁ ଯାଇ ଭିକ୍ଷା ଗ୍ରହଣ କରିଥିଲେ । ଲମ୍ବୋଦର ୨୨ ବର୍ଷ ପୂର୍ବେ ଗୁରୁ ବୀରବର ଦାଶଙ୍କ ବାଣୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବାବା ହେବା ପାଇଁ ଗୁରୁଙ୍କ ଆଶ୍ରମକୁ ଯାଇ ଅଲେଖ ଧର୍ମରେ ଦୀକ୍ଷିତ ହୋଇଥିଲେ । ପରେ ଯୋରନ୍ଦା ଅଲେଖ ପୀଠକୁ ଚାଲି ଯାଇଥିଲେ । ଗତକାଲି ସାଧୁସନ୍ଥଙ୍କୁ ଧରି ତାରଙ୍ଗ ଗ୍ରାମରେ ପହଞ୍ଚି ନିଜ ଘରେ ଅଖଣ୍ଡ ଦୀପ ଜାଳି ଧ୍ୱନି ଲଗାଇଥିଲେ । ରାତି ସାରା ଅଖଣ୍ଡ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ନିଜ ଘରୁ ଭିକ୍ଷା ମାଗିବା ପରେ ପୁଣିଥରେ ସେ ଯୋରନ୍ଦା ଅଭିମୁଖେ ବାହାରିଥିବା ଜଣାପଡ଼ିଛି । ସାଧୁସନ୍ଥଙ୍କ ଆଗମନ ଓ ନାମ ସଂକୀର୍ତ୍ତନ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।