ସାହିଦଙ୍କ ପିଛା ଛାଡ଼ୁନି ପ୍ରଶ୍ନ

ସାହିଦ୍ କପୁର ଓ କିଆରା ଆଡଭାନୀ ଅଭିନୀତ ‘କବୀର ସିଂହ’ ରିଲିଜ୍ ହେବାର ଏହାରି ଭିତରେ ବେଶ୍ କିଛି ଦିନ ହୋଇଗଲାଣି। ମାତ୍ର ଏବେ ବି ସାହିଦଙ୍କୁ କୌଣସି କାର୍ଯ୍ୟକ୍ରମରେ ଭେଟିଲେ ଦର୍ଶକ, ପ୍ରଶଂସକ ତାଙ୍କୁ ପ୍ରଶ୍ନ ପଚାରି ଅଥୟ କରିପକାଉଛନ୍ତି। ସାହିଦ ମନେକରୁଛନ୍ତି, ଯେମିତି ଏ ପ୍ରଶ୍ନ ତାଙ୍କ ପିଛା ଛାଡ଼ିବ ନାହିଁ। ପ୍ରଶ୍ନଟି ଫିଲ୍ମରେ ସାହିଦଙ୍କ ଚରିତ୍ରକୁ ନେଇ। ନିକଟରେ ସାହିଦ ସେଭଳି ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା।

ସାହିଦଙ୍କ ଉଦ୍ଦେଶ୍ୟରେ ଜଣେ ପ୍ରଶଂସକ ପଚାରିଥିଲେ – ଆପଣ ଫିଲ୍ମରେ ଯେଉଁଭଳି ନିଶାସକ୍ତ ରହୁଛନ୍ତି ସେଥିରୁ ଆମେ କ’ଣ ଶିଖିବୁ? ଉତ୍ତରରେ ସାହିଦ କହିଥିଲେ – ଫିଲ୍ମକୁ ଆପଣ ଏକ ଶିକ୍ଷାନୁଷ୍ଠାନ ବୋଲି ଭାବୁଛନ୍ତି କି, ଯେଉଁଥିରେ କ’ଣ କରାଯିବ କ’ଣ ନ କରାଯିବ ତାହା ଆପଣଙ୍କୁ ଶିକ୍ଷା ଦିଆଯାଉଛି?

ଯଦି ହଁ, ତା’ହେଲେ ଏହା ଆପଣଙ୍କର ନିଜସ୍ୱ ବିଚାର। ‘କବୀର ସିଂହ’ ଏକ ପ୍ରାପ୍ତ ବୟସ୍କଙ୍କ ସିନେମା ଏବଂ ପ୍ରାପ୍ତ ବୟସ୍କମାନେ କ’ଣ କରିବା ଉଚିତ, କ’ଣ ଅନୁଚିତ ତାହା ସେମାନେ ବେଶ୍ ଭଲକରି ଜାଣନ୍ତି। ଅମିତାଭ ବଚ୍ଚନ କେବେ କାହାକୁ ଚୋରି କରିବା ଶିଖାଇବେ କି? ଆପଣ ମନେରଖିବା ଉଚିତ ଯେ ଆପଣ ଫିଲ୍ମ ଦେଖିବାକୁ ଯାଇଛନ୍ତି ଏବଂ ଫିଲ୍ମ ଏକ କାଳ୍ପନିକ ବିଷୟବସ୍ତୁ।

ସାହିଦ ଆହୁରି କହିଥିଲେ ଯେ, ଫିଲ୍ମରେ ମୋର ଏକ କ୍ରୋଧୀ ଚରିତ୍ର ଥିଲା। ଫିଲ୍ମରେ ପ୍ରୀତିର ଚରିତ୍ର ଥିଲା କବୀରଠାରୁ ଅଧିକ ଷ୍ଟ୍ରଙ୍ଗ୍। କବୀର ସିଂହ ନିଜକୁ ସମ୍ଭାଳିପାରେ ନାହିଁ, ମାତ୍ର ପ୍ରୀତିକୁ ମଜବୁତ୍ ଦେଖାଯାଇଥିଲା। ପ୍ରତି କବୀରକୁ ପ୍ରୀତି ଭଳି ଜଣେ ଝିଅ ଆବଶ୍ୟକ। ଏହା ‘କବୀର ସିଂହ’ ଫିଲ୍ମର କଥା।

ଯେତେବେଳେ ‘ବାଜିଗର’ରେ ଶାହରୁଖ ଶିଳ୍ପାଙ୍କୁ ହତ୍ୟା କରୁଛନ୍ତି, କେହି ପ୍ରଶ୍ନ ଉଠାଇଥିଲେ କି? ‘ସଞ୍ଜୁ’ ଫିଲ୍ମରେ ଯେତେବେଳେ ରଣବୀର କପୁର ସୋନମ୍ଙ୍କ ଗଳାରେ କୋମୋଡ ସିଟ୍ ପକାଇ ଦେଉଛନ୍ତି, ସେତେବେଳେ କାହାକୁ କାହିଁକି ଅସୁବିଧା ହେଉନାହିଁ? ଉଲ୍ଲେଖଯୋଗ୍ୟ, ସାହିଦଙ୍କ ‘କବୀର ସିଂହ’ ଫିଲ୍ମକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ। ଫିଲ୍ମଟି ୨୫୦ରୁ ଅଧିକ କୋଟି ଟଙ୍କାର ବ୍ୟବସାୟ କରିଥିଲା।