ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ମାଛଗଡ଼ ପଞ୍ଚାୟତ ଦୁଧନାଳୀ ଗ୍ରାମର ମାର୍କଣ୍ଡ ମୁଣ୍ଡାଙ୍କ ପୁଅ ଗୌରାଙ୍ଗ ମୁଣ୍ଡା(୨୬)ଙ୍କ ତେଲେଙ୍ଗାନାରେ ଗତକାଲି ଆକସ୍ମିକ ମୃତ୍ୟୁ ଘଟିଛି। ମାତ୍ର ଦେଶରେ ଲକଡାଉନ ଚାଲିଥିବାରୁ ଗା’କୁ ଶବ ଆଣି ପାରିନାହାନ୍ତି। ପରେ ସହକର୍ମୀମାନେ ସେଠାରେ ଶବ ଦାହ କରିଛନ୍ତି।
ଦୁଧନାଳୀ ଗ୍ରାମର ୭ ଜଣ ଯୁବକ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡି ଥାନା ଆପ୍ରପାଲି ଗ୍ରାମରେ ଜଣେ ଠିକାଦାର ନିକଟରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଲକଡାଉନ ପାଇଁ ସେଠାରେ କାର୍ଯ୍ୟ ବନ୍ଦ ହୋଇଯିବାରୁ ସେମାନେ ଓଡ଼ିଶା ଫେରିବା ପାଇଁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ରେଜିଷ୍ଟର କରିଥିଲେ। ମାତ୍ର ସେଠାକାର ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ କରିଦେଇଛନ୍ତି। ତେବେ ଗତକାଲି ଗୌରାଙ୍ଗଙ୍କ ଛାତିରେ ହଠାତ ଯନ୍ତ୍ରଣା ହେବାରୁ ସହକର୍ମୀମାନେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଗୌରାଙ୍ଗର ମୃତ୍ୟୁ ଘଟିଛି।
ଅପରପକ୍ଷରେ ମୃତ୍ୟୁ ପରେ ଗାଁ’କୁ ଶବ ଆଣିବାକୁ ଚାହିିଁ ଥିଲେ ମଧ୍ୟ ଲକଡାଉନ ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା। ଫଳରେ ବାଧ୍ୟ ହୋଇ ସହକର୍ମୀମାନେ ସେଠାରେ ତାଙ୍କ ଶବ ଦାହ କରିଥିଲେ। ମୃତ୍ୟୁ ଖବର ପାଇବା ପରେ ଦୁଧନାଳୀ ଗ୍ରାମରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଛି। ମାଛଗଡ଼ ସରପଞ୍ଚ ଈଶ୍ୱର ନାଏକ, ସମିତିସଭ୍ୟ ରଞ୍ଜନ ସାହୁ ମୃତ ଯୁବକଙ୍କ ପରିବାରରେ ପହଞ୍ଚି ସମବେଦନା ଜଣାଇବା ସହିତ ତେଲେଙ୍ଗାନାରେ ଫସି ରହିଥିବା ଅନ୍ୟ ୬ ଜଣ ଶ୍ରମିକଙ୍କୁ ଓଡିଶା ଆଣିବା ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।