ସବ୍ୟସାଚୀ ୪ଟି ମାମଲାରେ ଖଲାସ

ରାୟଗଡ଼ା,ଏନ୍ଏନ୍ଏସ୍: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ତାଙ୍କ ବିରୁଦ୍ଧରେ ରାୟଗଡ଼ା ଜିଲ୍ଲା କୋର୍ଟରେ ଥିବା ୪ ଟି ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି । ପୁର୍ବରୁ ଚାନ୍ଦିଲି ଥାନାରେ ଥିବା ଦୁଇଟି ଏବଂ କାଶିପୁର ଥାନାର ଗୋଟିଏ ମାମଲାରେ ଖଲାସ ହୋଇଥିବା ବେଳେ ଆଜି ୨୦୦୨ ଡ଼ିସେମ୍ବର ୫ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟସ୍ଥ ମିଟସ ଇଞିନିୟରିଂ କଲେଜ ନିକଟରେ ବ୍ରହ୍ମପୁରରୁ ଖେଳସାରି ଫେରୁଥିବା ଓଏସଏପି ୭ମ ବାଟାଲିୟନ ଯବାନଙ୍କ ଗାଡ଼ିକୁ ଲକ୍ଷକରି ଲ୍ୟାଣ୍ଡମାଇନ ବ୍ଲାଷ୍ଟ ମାମଲାର ଶୁଣାଣିକରି ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ପୁର୍ବରୁ କାଶିପୁର ଥାନାର ଶଶି ମାଝି ହତ୍ୟାକାଣ୍ଡ ୨୦୧୨ ମସିହା ମାର୍ଚ୍ଚ ୨୩ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ବଡ଼ଚମ୍ପିଆ ଗାଁରେ ଦିନବନ୍ଧୁ ତୁଳଙ୍କ ଘର ଉପରେ ଆକ୍ରମଣ କରି ଟ୍ରାକ୍ଟରପୋଡ଼ି ସାଙ୍ଗକୁ ଟଙ୍କା ସୁନା ଅଳଙ୍କାର ଲୁଟ ଅଭିଯୋଗ ଏବଂ ସେହିରାତି ଲୁଟ ସାମଗ୍ରି ନେବା ବାଟରେ ଲିଙ୍ଗାଗୁଡ଼ା ନିକଟରେ ପୁଲିସ ସହିତ ଗୁଳି ବିନିମୟ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।

ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର କେନ୍ଦ୍ରିୟ କାରାଗାରରୁ ସବ୍ୟସାଚୀ ପଣ୍ଡାଙ୍କୁ ରାୟଗଡ଼ା ସିଜିଏମଙ୍କ କୋର୍ଟରେ ହାଜର କରାଯାଇଥିଲା । ତେବେ ଡ଼ିସେମ୍ବର ୫ ତାରିଖରେ ଭୁଜବଳ ନିକଟସ୍ଥ ମିଟସ ଇଞିନିୟରିଂ କଲେଜ ନିକଟରେ ଲ୍ୟାଣ୍ଡମାଇନ ମାମଲାରେ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଭିତ୍ତିରେ ସିଜିଏମ ଜ୍ଞାନେନ୍ଦ୍ର ବାରିକଙ୍କ କୋର୍ଟ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ତେବେ ରାଜ୍ୟର ଅନ୍ୟ ଅନ୍ୟ ଜିଲ୍ଲାରେ ଆହୁରି ଅନେକ ମାମଲା ବିଚାରାଧୀନ ଥିବାରୁ ପୁଣି ଥରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠେଇ ଦିଆଯାଇଛି । ଏହି ମାମଲାରେ ଉମାଚରଣ ପଟ୍ଟନାୟକ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବାବେଳେ ସବ୍ୟସାଚୀଙ୍କ ପକ୍ଷରୁ ଓକିଲ ମଙ୍ଗଳମୁର୍ତୀ ବେଉରିଆ ଲଢ଼ୁଥିଲେ।