ଆଜି ସବ୍ୟ-ଅର୍ଚ୍ଚିତାଙ୍କ ବାହାଘର

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ଓଲିଉଡ ନାୟିକା ଅର୍ଚ୍ଚିତାଙ୍କ ହାତ ଧରିବେ ଅଭିନେତା ସବ୍ୟସାଚୀ ମିଶ୍ର। ରବିବାର ସବ୍ୟସାଚୀ ଏନେଇ ସୋସିଆଲ ମିଡିଆରେ ଜଣାଇଥିଲେ। ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ଅଳ୍ପ କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ପ୍ରକାଶ ଯେ, ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ଖୁବଶୀଘ୍ର ବାହାଘର ମଧ୍ୟ ହେଉଛି ବୋଲି ଶୁଣିବାକୁ ମିଳିଥିଲା । ରବିବାର ଏ ନେଇ ଉଭୟ ସୂଚନା ଦେବା ପରେ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ସବ୍ୟସାଚୀ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ସୁଖ ଆଉ ଦୁଃଖର ନାମ ଜୀବନ । ଅନେକ ଥର ଲାଗେ ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ । ବୋଧେ ସେଥିପାଇଁ ମତେ ଏମିତି ଏକ ଜୀବନସାଥୀ ମିଳିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ସୋମବାର ଆମର ବାହାଘର । ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ ।