ସାବରୀମାଳା ମନ୍ଦିର ମାମଲାକୁ ବୃହତ୍ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସିସାବରିମାଲା ମନ୍ଦିର ମାମଲାକୁ ସୁପ୍ରିମକୋର୍ଟ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିଛନ୍ତି। ୩:୨ ଗରିଷ୍ଠତା ଅନୁପାତରେ ୭ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠକୁ ପଠାଯାଇଛି। ଏ ନେଇ ପାଞ୍ଚ ଜଣିଆ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏଏମ୍‌ ଖାନ୍‌ଓ୍ଵାଲିକର୍‌ ଏବଂ ଇନ୍ଦୁ ମାଲହୋତ୍ରାଙ୍କ ରାୟ ସଂଖ୍ୟା ଗରିଷ୍ଠ ହୋଇଛି।

ରାୟରେ ସେମାନେ କହିଛନ୍ତି ଯେ ଧାର୍ମିକ ବିଶ୍ୱାସ ଏବଂ ପ୍ରଥା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇଥିବାରୁ ଏହା ୭ଜଣିଆ ଖଣ୍ଡପୀଠଙ୍କ ବିଚାର ଆବଶ୍ୟକ କରୁଛି। ବାର୍ଷିକ ତିନି ମାସିଆ ତୀର୍ଥାଟନ ନିମନ୍ତେ ନଭେମ୍ବର ୧୭ ତାରିଖରେ ସାବରୀମାଳା ମନ୍ଦିର ଖୋଲିବ। ୧୦ ରୁ ୫୦ ବର୍ଷ ବୟସ୍କା କିଶୋରୀ ଏବଂ ମହିଳାମାନଙ୍କ ଲାଗି ବାରଣ କରାଯାଇଥିବା ମନ୍ଦିର ପ୍ରବେଶ ନିୟମକୁ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ସୁପ୍ରିମ୍‌ କୋର୍ଟ ନିଷିଦ୍ଧ କରିଥିଲେ।

ଏହାକୁ ବିରୋଧ କରି ପ୍ରାୟ ୬୫ଟି ପିଟିସନ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିଲା। ୪:୧ ଅନୁପାତ ସଂଖ୍ୟା ଗରିଷ୍ଠତା ରାୟ ଭିତ୍ତିରେ ସୁପ୍ରିମ୍‌ କୋର୍ଟ ମହିଳାଙ୍କୁ ସାବରୀମାଳା ମନ୍ଦିର ବାରଣ ପ୍ରଥାକୁ ବେଆଇନ ଏବଂ ଅଣସାମ୍ବିଧାନିକ ବୋଲି ଘୋଷଣା କରିଥିଲେ। ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏସବୁ ରିଭ୍ୟୁ ପିଟିସନ ଉପରେ ନେଇଥିବା ନିଷ୍ପତ୍ତିକୁ ଫେବୃଆରୀ ୬ତାରିଖ ଦିନ ସଂରକ୍ଷିତ ରଖିଥିଲେ।