ସଇଁନ୍ତଲା,ଏନ୍ଏନ୍ଏସ୍: ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ୨ ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତର ନାରୀନେତ୍ରୀ ସବିତା ନନ୍ଦଙ୍କୁ ‘ମାତା ସାବିତ୍ରୀ ବାଇ ବିରଙ୍ଗନା’ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ନନ୍ଦ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ସଭାନେତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ନାରୀମାନଙ୍କ ହକ ଓ ଅଧିକାର ପାଇଁ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟ କରନ୍ତି । ଏହି ଜାତୀୟ ପୁରସ୍କାର ସାମାଜିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶେଷ ବ୍ୟକ୍ତି ବିଶେଷଙ୍କୁ ସର୍ବଭାରତୀୟ ସ୍ତରରେ ପ୍ରଦାନ କରାଯାଏ । ପୁରସ୍କାର ପାଇବା ପରେ ଶ୍ରୀମତୀ ନନ୍ଦ ଖୁସି ବ୍ୟକ୍ତ କରିବା ସହ ଏହି ଜାତୀୟ ପୁରସ୍କାର ମୋତେ ଆଗକୁ ଆହୁରି ନାରୀ ସମାଜ ପାଇଁ ସଚ୍ଚୋଟ, ନିଷ୍ଠାପର ଓ ତ୍ୟାଗ ମନୋଭାବ ନେଇ କାମ କରିବାର ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଛନ୍ତି ।