ସବରିମାଳା ମନ୍ଦିର: ମହିଳାଙ୍କୁ ସୁରକ୍ଷା ଦେବାକୁ ମନାକଲେ କେରଳ ସରକାର

ଥିରୁବନନ୍ତପୁରମ, ଏଜେନ୍ସି : ସବରିମାଳା ମନ୍ଦିରକୁ ଯାଉଥିବା ମହିଳା ଦର୍ଶନାର୍ଥୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଯୋଜନା ନାହିଁ ବୋଲି ଶୁକ୍ରବାର କେରଳ ସରକାର ରୋକଠୋକ୍ ଜଣାଇ ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ରାୟ ପ୍ରଦାନ କରି ସବରିମାଳା ମନ୍ଦିର ଭିତରକୁ ମହିଳା ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ଦର୍ଶାଇ ରାୟର ସମୀକ୍ଷା ପାଇଁ ବୃହତ୍ତର ଖଣ୍ଡପୀଠ ଗଠନ ପ୍ରତି ଗୁରୁତ୍ୱାରୋପ କରିଥିଲେ। ଶୁକ୍ରବାର ଗଣମାଧ୍ୟମକୁ ରାଜ୍ୟ ମନ୍ଦିର ବ୍ୟାପାର ମନ୍ତ୍ରୀ କାଡାକାମପଲ୍ଲୀ ସୁରେନ୍ଦ୍ରନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରି ରାଜ୍ୟ ସରକାର ଆଉ ମହିଳାଙ୍କ ପ୍ରବେଶକୁ ପ୍ରୋତ୍ସାହନ ପ୍ରଦାନ କରିବନି। ଭୂମାତା ବ୍ରିଗେଡ୍ ନେତା ତୃପ୍ତି ଦେଶାଇଙ୍କ ସବରିମାଳା ପରିଦର୍ଶନ ପ୍ରସଙ୍ଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ ଯେ ଧାର୍ମିକ ପୀଠରେ ସାମାଜିକ କର୍ମୀଙ୍କର କି’ କାମ? ଶନିବାରଠାରୁ ତୀର୍ଥଯାତ୍ରୀଙ୍କର ତିନିମାସିଆ ମନ୍ଦିର ପରିଦର୍ଶନ ପର୍ବ ଆରମ୍ଭ ହେଉଛି।

ଏଥର ମହିଳାଙ୍କ ସୁରକ୍ଷା ଦାୟିତ୍ୱ କାହା ମୁଣ୍ଡରେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାରୁ ମନ୍ତ୍ରୀ ସୁରେନ୍ଦ୍ରନ ଉତ୍ତର ଦେଇଛନ୍ତି ଯେ ମହିଳା ତୀର୍ଥଯାତ୍ରୀମାନେ କୋର୍ଟଙ୍କଠାରୁ ନିରାପତ୍ତା ଆଦେଶ ଆଣନ୍ତୁ। ଆମର କିଛି କରିବାର ନାହିଁ। ସୁପ୍ରିମକୋର୍ଟଙ୍କ ୨୦୧୮ ରାୟରେ ମହିଳାଙ୍କ ଶାରୀରିକ ଗଠନକୁ ଆଧାର କରି ତାଙ୍କର ମନ୍ଦିର ପ୍ରବେଶରେ ବାଧା ସୃଷ୍ଟି କରିବା ଅସାମ୍ବିଧାନିକ। ସୁପ୍ରିମକୋର୍ଟଙ୍କ ରାୟକୁ ଘୋର ପ୍ରତିବାଦ କରି ରକ୍ଷଣଶୀଳ ଧାର୍ମିକ ସଂଗଠନଗୁଡ଼ିକ ସବରିମାଳା ପୀଠରେ ଯାବତୀୟ ହିଂସାକାଣ୍ଡ ଭିଆଇଥିଲେ। ପରିଣାମ ସ୍ୱରୂପ ୨ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଥିଲେ। ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସବରିମାଳା ପୀଠର ଆରାଧ୍ୟ ପ୍ରଭୁ ଆୟାପ୍ପାଙ୍କୁ ୧୫ରୁ ୫୦ ବର୍ଷର ମହିଳାମାନେ ଦର୍ଶନ କରିବାର ପରମ୍ପରା ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ୱାଗତ କଲେ ମଧ୍ୟ ନିରୁପାୟ। ଗତବର୍ଷ ଆମ ହସ୍ତକ୍ଷେପ କରିବାର ପରିଣାମ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହୋଇଛି। ରାଜ୍ୟର ୨୦ଟି ଲୋକସଭା ଆସନରୁ ଆମ ଦଳକୁ ମାତ୍ର ଗୋଟିଏ ଆସନ ମିଳିଛି।