କିଭ୍,ଏଜେନ୍ସି: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଦିନିକୁ ଦିନ ଅଧିକ ଭୟଙ୍କର ଆଡ଼କୁ ମୁହାଁଉଛି। ୟୁକ୍ରେନ୍ର ଏକାଧିକ ସହର ଧ୍ୱଂସ ଅଭିମୁଖେ ଅଗ୍ରସର ହେଉଛି। ୟୁକ୍ରେନ୍ର ଲୋକେ ବୋମା, ରକେଟ ଓ ମିସାଇଲ ମାଡ଼ରେ ଥରି ଉଠୁଛନ୍ତି। ଯୁଦ୍ଧ ସୋମବାର ୧୯ ଦିନରେ ପହଞ୍ଚିଛି। ୟୁକ୍ରେନ୍ର ୨୪ଟି ଅଞ୍ଚଳରୁ ୧୯ଟିରେ ରୁଷିଆ ସେନା ଆକାଶରୁ ଆକ୍ରମଣ ଜାରି ରଖିଛନ୍ତି। ରୁଷିଆର ସେନା ୟୁକ୍ରେନ୍ରେ ଏୟାର ରେଡ ଆଲର୍ଟ କରିଛନ୍ତି।
ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଲଢ଼େଇରେ ୫୯୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସଂଯୁକ୍ତ ରାଷ୍ଟ୍ର ଏହି ସୂଚନା ଦେଇଛି। ୟୁଏନ୍ ମାନବ ଅଧିକାର କାର୍ଯ୍ୟାଳୟ କହିଛି ଯେ, ଯୁଦ୍ଧରେ ଏପର୍ଯ୍ୟନ୍ତ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୦୬୭ ଲୋକ ଆହତ ହୋଇଛନ୍ତି।
ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୟାଭୋରିଭରେ ଅନ୍ୟ ଦେଶରୁ ମିଳିଥିବା ସେନା ଉପକରଣର ଭଣ୍ଡାର ଘର ପାଇଁ ଏହି କେନ୍ଦ୍ରକୁ ବ୍ୟବହାର କରାଯାଉଥିଲା। ଏହି ଆକ୍ରମଣରେ ୧୮୦ ବିଦେଶୀ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ବ୍ୟାପକ ପରିମାଣରେ ଗୋଲାବାରୁଦ ନଷ୍ଟ କରାଯାଇଛି। ରୁଷୀୟ ସରକାର ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ୍ରେ ବିଦେଶ ନାଗରିକଙ୍କୁ ହତ୍ୟା କରିବା ଜାରି ରଖିବେ, ଯେଉଁମାନେ ସେନା ସହାୟତା ପ୍ରଦାନ କରୁଛନ୍ତି। କୁହାଯାଉଛି ଯେ, ରୁଷିଆ ସେନା ପ୍ରଶିକ୍ଷଣ କେନ୍ଦ୍ର ଉପରେ ୩୦ରୁ ଊର୍ଦ୍ଧ୍ୱ କ୍ରୁଜ ମିସାଇଲ ଆକ୍ରମଣ କରିଥିଲା।
ଅନ୍ୟପଟରେ ୟୁକ୍ରେନ୍ର ଜଣେ ଅଧିକାରୀ କହିଛନ୍ତି ଯେ, ରୁଷିଆର ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ୧୩୪ ଜଣ ଲୋକ ଆହତ ହୋଇଛନ୍ତି। ପୀଡିତାଙ୍କ ରାଷ୍ଟ୍ରୀୟତା ସ୍ପଷ୍ଟ କରାଯାଇନାହିଁ। ରୁଷିଆ ମିସାଇଲ ମାଡ଼ କରିଛି। ବିଦେଶୀ ସେନା ପ୍ରଶିକ୍ଷକ ୟୁକ୍ରେନ୍ ସୈନିକଙ୍କୁ ତାଲିମ ପ୍ରଦାନ କରୁଥିଲେ। ଆକ୍ରମଣ ପୂର୍ବରୁ ପ୍ରଶିକ୍ଷକମାନଙ୍କୁ ରୁଷିଆ ସରକାର ୟୁକ୍ରେନ୍ ଛାଡ଼ିବାକୁ ଆଦେଶ ଦେଇଥିଲେ।