୨୦ ବର୍ଷର ଲମ୍ବା ଲଢ଼େଇ ପରେ ଆଫଗାନିସ୍ତାନରୁ ଆମେରିକା ‘ଶୂନ’ ହାସିଲ କଲା: ବ୍ଲାଦମିର ପୁତିନ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଆଫଗାନିସ୍ତାନରେ ଆମେରିକାର ଭାଗିଦାରୀକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୁତିନ କହିଛନ୍ତି ଯେ, ଆମେରିକା ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ନିଜ ସୈନ୍ୟ ମହଜୁଦ ରଖିବା ପରେ ମଧ୍ୟ ଶୂନ ହାସଲ କରିଛି। ସେଠାରେ ରହୁଥିବା ଲୋକଙ୍କୁ ଆମେରିକା ସଭ୍ୟ କରିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଏହାର ପରିଣାମ ବ୍ୟାପକ କ୍ଷତି ସୃଷ୍ଟି କଲା। ଏହି କ୍ଷତି ଏସବୁ କରିଥିବା ଆମେରିକାକୁ ହେବା ସହ ସବୁଠୁ ଅଧିକ ଆଫଗାନିସ୍ତାନ ନାଗରିକଙ୍କୁ ହୋଇଛି।

ପୁତିନ ଆହୁରି କହିଛନ୍ତି ଯେ, କାହା ପାଇଁ କିଛି କରିବା ପୂର୍ବରୁ ସେଠାକାର ଲୋକଙ୍କ ଇତିହାସ, ସଂସ୍କୃତି ଓ ଜୀବନ ଦର୍ଶନ ଉପରେ ସବିଶେଷ ତଥ୍ୟ ସମ୍ପର୍କରେ ଅବଗତ ହେବା ଉଚିତ। ସେମାନଙ୍କ ପରମ୍ପରାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଋଷ ୧୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନ ସହ ଯୁଦ୍ଧ ଲଢ଼ିଲା ଓ ୧୯୮୯ରେ ସୋଭିଏତ ସୈନିକ ଫେରାଇ ନେଲା। ଋଷ ଗତ କିଛି ବର୍ଷ ହେବ ମଧ୍ୟସ୍ଥୀ ଭାବେ ରାଜନୀତିକୁ ଫେରିଛି।