ମାରିୟୁପୋଲ,ଏଜେନ୍ସି: ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ସମେତ ଅନ୍ତର୍ଜାତୀୟ ଚାପକୁ ରୁଷିଆ ଶୁଣୁନାହିଁ। ୟୁକ୍ରେନର ଅଭିଯୋଗ ଯେ, ରୁଷିଆ ନିଜର ଏକ ସିନେମା ହଲରେ ଶରଣ ନେଇଥିବା ୟୁକ୍ରେନ୍ ନାଗରିକଙ୍କ ଉପରେ ବୋମାମାଡ଼ କରିଛି। ରୁଷିଆର ଏହି ଏୟାର ଷ୍ଟ୍ରାଇକ୍ରେ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ଅନେକ ଗୁରୁତର ହୋଇଛନ୍ତି। ୟୁକ୍ରେନ୍ର ଦାବି ଯେ, ଥିଏଟରରେ ୧୦୦୦ ଲୋକ ଥିଲେ, ଯେଉଁମାନେ କି ଏୟାର ଷ୍ଟ୍ରାଇକ୍ ଯୋଗୁଁ ଚାପି ହୋଇଯାଇଛନ୍ତି।
ୟୁକ୍ରେନ୍ର ଅଧିକାରୀଙ୍କ ଅନୁସାରେ ରୁଷିଆର ସେନା ମାରିୟୁପୋଲ ସହର ନିକଟରେ ଥିବା ଏକ ସିନେମା ହଲ ଉପରେ ଅଚାନକ ଆକାଶମାର୍ଗରୁ ବୋମାମାଡ଼ କରିଛି। ଯୁଦ୍ଧ ଯୋଗୁଁ ଏହି ସିନେମା ହଲରେ ପ୍ରାୟ ଏକ ହଜାର ୟୁକ୍ରେନ୍ର ନାଗରିକ ଶରଣ ନେଇଥିଲେ। ତେବେ ୟୁକ୍ରେନ୍ ସ୍ପଷ୍ଟ କରି ନାହିଁ ଯେ, ଏପର୍ଯ୍ୟନ୍ତ ସିନେମା ହଲ ଉପରେ ହୋଇଥିବା ଆକ୍ରମଣରେ କେତେ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଆଶା କରାଯାଉଛି ଯେ, ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥାଇ ପାରେ।
ସୂଚନାଯୋଗ୍ୟ, ଗତମାସ ୨୪ ତାରିଖ ଠାରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ମଧ୍ୟରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ବଡ଼ ରାୟ ଶୁଣାଇଛନ୍ତି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍ ରୁଷିଆକୁ ଆଦେଶ ଦେଇଛନ୍ତି ଯେ, ୟୁକ୍ରେନ୍ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରୁ। ବୁଧବାର ଶୁଣାଣି କରି କୋର୍ଟ ରୁଷିଆ ସମର୍ଥିତ ଦେଶଙ୍କୁ ଏହି ମାମଲାରେ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। ଆଇସିଜେ କହିଛନ୍ତି ଯେ, କୋର୍ଟ ଯାହା ନିଷ୍ପତ୍ତି ନେବେ ଏହାକୁ ସମସ୍ତେ ମାନିବାକୁ ବାଧ୍ୟ ହେବେ।