ଋଷୀୟ ଭ୍ୟାକ୍ସିନର ମାନବ ପରୀକ୍ଷଣ ଶେଷ: ସେପ୍ଟେମ୍ବରରୁ ଆରମ୍ଭ ହେବ ଉତ୍ପାଦନ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ଋଷରୁ ଏକ ଭଲ ଖବର ସାମ୍ନାକୁ ଆସୁଛି। ଋଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକୋ କହିଛନ୍ତି ଯେ, କରୋନା ଭ୍ୟାକ୍ସିନର ସମସ୍ତ ପରୀକ୍ଷଣ ଶେଷ ହୋଇଛି। ଭ୍ୟାକ୍ସିନକୁ ବଜାରରେ କେବେ ଛଡ଼ାଯିବ ତାହା ବୈଜ୍ଞାନିକ ସ୍ଥିର କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମସ୍କୋସ୍ଥିତ ଗାମାଲେୟା ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଭ୍ୟାକ୍ସିନର ଉତ୍ପାଦନ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏଥିସହିତ ଏହି ଭ୍ୟାକ୍ସିନ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଋଷର ଏହି ଭ୍ୟାକ୍ସିନକୁ ନେଇ ଦୁନିଆର ଅନେକ ବୈଜ୍ଞାନିକ ଆଶଙ୍କା ଜାହିର କରିଛନ୍ତି। କାରଣ ଋଷ ଏବେସୁଦ୍ଧା ଭ୍ୟାକ୍ସିନ ପରୀକ୍ଷଣ ସମ୍ବନ୍ଧରେ କୌଣସି ତଥ୍ୟ ଜାରି କରିନାହିଁ। ତେଣୁ ଏଭଳି ସ୍ଥିତିରେ ଏହି ଭ୍ୟାକ୍ସିନ କେତେ ଫଳପ୍ରଦ ତାହା କହିବା ଖୁବ୍ ଜଟିଳ। ଅନ୍ୟପଟେ ଭ୍ୟାକ୍ସିନକୁ ଯଥାଶୀଘ୍ର ବଜାରକୁ ଛାଡ଼ିବା ପାଇଁ ରାଜନୈତିକ ଚାପ ପକାଯାଉଥିବା ବେଳେ କିଛି ଏହାର ମାନବ ପରୀକ୍ଷଣ ଉପରେ ପ୍ରଶ୍ନ ଉଠାଉଛନ୍ତି। ତେବେ ଦେଖାଯାଉ ଆଗାମୀ ଦିନରେ ଏହି ଭ୍ୟାକ୍ସିନ କେତେ ଫଳପ୍ରଦ ସାବ୍ୟସ୍ତ ହେଉଛି।