କଲେଜର ନିଜସ୍ୱ ଜମି ନଥିଲେ ମିଳିବନି ‘ରୁଷା’ ଅନୁଦାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଉଚ୍ଚଶିକ୍ଷା ବିଭାଗପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ରାଜ୍ୟରେ ଏଣିକି ଅନୁଦାନପ୍ରାପ୍ତ କଲେଜଗୁଡିକରେ ସୁଧାର ଆଣିବା ଲାଗି ରାଜ୍ୟର ସବୁ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି ଯାଞ୍ଚ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ସବୁ ଅନୁଦାନପ୍ରାପ୍ତ କଲେଜଗୁଡିକର ସ୍ଥିତି ସମୀକ୍ଷା କରିବା ସହ ସମ୍ପୃକ୍ତ କଲେଜଗୁଡିକର ନିଜସ୍ୱ ଜମି ରହିଛି କି ନାହିଁ ସେସବୁର ରିପୋର୍ଟ ଆସନ୍ତା ୮ତାରିଖ ସୁଦ୍ଧା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅନୁଦାନପ୍ରାପ୍ତ କଲେଜଗୁଡିକର ନିଜସ୍ୱ ଜମି ନଥିବ ସଂମ୍ପୃକ୍ତ କଲେଜଗୁଡିକୁ ରୁଷା ଅନୁଦାନ ଦିଆଯିବ ନାହିଁ। ଏହା ବ୍ୟତୀତ ନାକ ରେଟିଂ ପ୍ରକ୍ରିୟାରୁ ମଧ୍ୟ ସେହି କଲେଜଗୁଡିକୁ ବାଦ ଦିଆଯିବ ବୋଲି ଜଣାପଡ଼ିଛି।