ଡିସେମ୍ବର ସୁଦ୍ଧା ସମସ୍ତ ପରିବହନ ସେବା ଯୋଗାଣ ଅନଲାଇନରେ କର: ଅସିତ୍ ତ୍ରିପାଠୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୫-ଟି ଆଧାରିତ ପରବହନ ସେବା ଯୋଗାଣକୁ ତ୍ୱରାନ୍ୱିତ କରାଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫-ଟି କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ୍ ସେବା ଯୋଗାଣ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଅଗ୍ରଗତି ସମୀକ୍ଷା କରି ଅଧିକରୁ ଅଧିକ ସେବାକୁ ଅନଲାଇନ୍ କରିବା ସହ ଲୋକମାନଙ୍କର ଆରଟିଓ ଅଫିସକୁ ଡୌଡିବାର ଆବଶ୍ୟକତା କମାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡ୍ରାଇଭିଂ ଲାଇସେନ୍ସ, ଗାଡି ପଞ୍ଜିକରଣ ପ୍ରମାଣପତ୍ର, ଗାଡିର ମାଲିକାନା ପରିବର୍ତ୍ତନ ଏବଂ ରାଜସ୍ୱ ଆଦାୟ ଆଦି ସେବାକୁ ଅନଲାଇନ୍ ମୋଡ୍ ରେ ସାଧାରଣ ସେବା କେନ୍ଦ୍ର(ସିଏସସି)ମାନଙ୍କ ସହ ସଂଯୋଜିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ପ୍ରମୁଖ ଶାସନ ସଚିବ ଶ୍ରୀନିବାସ କହିଥିଲେ ଯେ ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ଯେକୌଣସି ସ୍ଥାନରୁ ଜଣେ ଯୋଗ୍ୟ ଆବେଦନକାରୀ ନିଜର ଇଚ୍ଛା ଅନୁସାରେ ଯେକୌଣସି ଆରଟିଓ ଅଫିସକୁ ଲାଇସେନ୍ସ ପାଇଁ ଦରଖାସ୍ତ କରିପାରିବେ। ପ୍ରାଥମିକ ଲର୍ଣ୍ଣର ଲାଇସେନସ୍ ଓ ପରବର୍ତ୍ତୀ ଅବସ୍ଥାରେ ଡ୍ରାଇଭିଂ ଲାଇସେନ୍ସ ଆଦି ପାଇଁ ଦେୟ ମଧ୍ୟ ଅନଲାଇନ ପୈଠ କରିପାରିବେ। ଏହା ଫଳରେ ଆରଟିଓ ଅଫିସ ଆସି ଆଉ ଧାଡିରେ ଠିଆ ହେବାକୁ ପଡିବ ନାହିଁ। ଏହି ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନାଗରିକ ଉପକୃତ ହେବେ।

ନୂଆଗାଡିର ପଞ୍ଜୀକରଣ, ଋଣ ବନ୍ଧକ ଏବଂ ବନ୍ଧକମୁକ୍ତ ସ୍ୱୀକୃତି, ଠିକଣା ପରିବର୍ତ୍ତନ, ଫିଟନେସ୍ ପ୍ରମାଣପତ୍ର ଏବଂ ପଞ୍ଜୀକରଣ ନବୀକରଣ ଆଦି ବ୍ୟବସ୍ଥାକୁ ଅନଲାଇନକୁ ମୋଡ୍ ରେ ସିଏସସି ମାନଙ୍କ ସହ ସଂଯୋଜିତ କରାଯିବ। ଏଥିରେ ଅନଲାଇନ୍ ଦସ୍ତାବିଜ୍ ଦାଖଲ ବ୍ୟବସ୍ଥା ମଧ୍ୟ ରହିବ। ଏହାଦ୍ୱାରା ପ୍ରାୟ ୧୨ଲକ୍ଷ ଲୋକ ଉପକୃତ ହେବେ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀନିବାସ କହିଥିଲେ। ସମୀକ୍ଷାରୁ ଜଣାପଡିଛି ଯେ, ସମସ୍ତ ପରିବହନ ସେବା ଦେୟକୁ ଅନଲାଇନରେ ପୈଠ ବ୍ୟବସ୍ଥା କରାଯାଇଛି।

ବର୍ତ୍ତମାନ ସଗୃହୀତ ହୋଇଥିବା ରାଜସ୍ୱରୁ ପ୍ରାୟ ୬୫ ଭାଗ ଅନଲାଇନରେ ମିଳୁଛି ବୋଲି ପରିବହନ ସଚିବ ଜଣାଇଥିଲେ।୨୦୨୦ ମାର୍ଚ୍ଚ ସୁଦ୍ଧା ଏହି ଅନଲାଇନ ରାଜସ୍ୱ ସଂଗ୍ରହ ଭାଗକୁ ୯୦ ପ୍ରତିଶତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ଦାବସ୍ଥା ସତ୍ତେ୍ୱ ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ମାସ ସେଷ ସୁଦ୍ଧା ୧୦୦୧ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ଏହି ରାଜସ୍ୱର ପ୍ରାୟ ୮୦ ପ୍ରତିଶତ ଗାଡି ପଞ୍ଜିକରଣ ଏବଂ ରୋଡ୍ ଟ୍ୟାକ୍ସ ବାବଦରେ ଆଦାୟ ହୋଇଛି ବୋଲି ପରିବହନ ବିଭାଗର ସ୍ୱତନବ୍ତ୍ର ଶାସନ ସଚିବ ମନୋଜ ମିଶ୍ର ଜଣାଇଥିଲେ।