ଛୁଟି ଦିନରେ ବି ବାହାର କରି ହେବ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌ ଓ ପ୍ରଦୂଷଣ ସାର୍ଟିଫିକେଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂତନ ମୋଟର ଯାନ ଆଇନ୍‌ରେ ମୋଟା ଅଙ୍କର ଜୋରିମାନା ଆଦାୟ ପରେ ଏବେ ଆରଟିଓ କାର୍ଯ୍ୟାଳୟରେ ଶହ ଶହ ଲୋକଙ୍କ ଭିଡ ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଅନୁସାରେ ଉକ୍ତ ଟ୍ରାଫିକ୍‌ ନିୟମକୁ ୩ମାସ କୋହଳ କରାଯାଇଥିବାବେଳେ ନିଜ ଗାଡି ପାଇଁ ସବୁ କାଗଜ ପତ୍ର ପ୍ରସ୍ତୁତ କରିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ତେବେ ଡ୍ରାଇଭିଂ ଲାଇସେନ୍ସ, ଆରସି ପ୍ରଭୃତି ସାର୍ଟିଫିକେଟ ଅନ୍‌ଲାଇନରେ ଆବେଦନ ହେଉଥିଲାବେଳେ ଏ ନେଇ ଆରଟିଓ ଅଫିସରେ ସାହାଯ୍ୟ କରିବା ପାଇଁ କେହି କର୍ମଚାରୀ ନାହାନ୍ତି ।

ସେହିପରି ଅନ୍‌ଲାଇନରେ ବିଭିନ୍ନ ଫି’ ଦେବାକୁ ଚାହିଁଲେ ବି ଜମା କରିହେଉନି । ଲୋକେ ବାଧ୍ୟ ହୋଇ ସରକାରୀ ଶୁଳ୍କ ଜମା କରିବା ପାଇଁ ଆରଟିଓ ଅଫିସରେ ଭିଡ ଜମାଉଛନ୍ତି । ତେବେ ଏହିଭିଡକୁ ଏଡାଇବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଅନୁଯାୟୀ ଛୁଟିଦିନମାନଙ୍କରେ ମଧ୍ୟ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌ ଓ ପ୍ରଦୂଷଣ ସାର୍ଟିଫିକେଟ୍ ଛୁଟି ଦିନରେ ବି ବାହାର କରିହେବ । ଏହା ସହ ବିଭିନ୍ନ କ୍ୟାମ୍ପ କରାଯାଇ ଲୋକଙ୍କୁ କାଗଜପତ୍ର କାମରେ ସହଯୋଗ କରାଯିବ ବୋଲି ସୂଚନା ମିଳିଛି ।