ଦୁର୍ଗା ପୂଜାରେ ଖୋଲା ରହିବ ଆରଟିଓ ଅଫିସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ ଆରଟିଓ ଅଫିସ୍। ଏନେଇ ଏସ‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆସନ୍ତା ୨୪, ୨୫ ଓ ୨୬ ତାରିଖ ଦୁର୍ଗାପୂଜା ଛୁଟି ପଡ଼ୁଥିବାବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରୁହେ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଅନେକ ଦିନ ପର୍ଯ୍ୟନ୍ତ ଆରଟିଓ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଫଳରେ ସମସ୍ତ କାର୍ଯ୍ୟ ବିଳମ୍ବ ହୋଇଛି। ଏହି ଛୁଟି ଦିନରେ ଆରଟିଓ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଦୂର୍ଗାପୂଜା ସମୟରେ ସମସ୍ତଙ୍କ ଭଳି କର୍ମଚାରୀ ମଧ୍ୟ ଯେପରି ଏହି ପରବ ପାଳନ କରିବେ ସେଥିପ୍ରତି ମଧ୍ୟ ସରକାର ଦୃଷ୍ଟି ଦେଇ କାର୍ଯ୍ୟ ସମୟକୁ ୨ ଘଣ୍ଟା କରିଛନ୍ତି। ଏହି ଦିନ ମାନଙ୍କରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ।

ସୂଚନାଯୋଗ୍ୟ, ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା। କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ଅନ୍ୟପଟେ ଦୁର୍ଗା ପୂଜା ପାଇଁ ଚଳିତ ବର୍ଷ ଅନେକ ଗାଇଡଲାଇନ ଜାରି କରିଛନ୍ତି। ଯେହେତୁ କରୋନା ମହାମାରୀ ଚାଲିଛି, ଏହାକୁ ଦୃଷ୍ଟିରେ ରଖି ପୂଜା ଉପରେ କଟକଣା ଜାରି କରାଯାଇଛି ।