ସମାଜର ପରିବର୍ତ୍ତନ ହେଲେ ଦେଶର ଭାଗ୍ୟ ବଦଳିବ: ମୋହନ ଭାଗୱତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମାଜରେ ପରିବର୍ତ୍ତନ ଜରୁରୀ। ସମାଜ ପରିବର୍ତ୍ତନ ହେଲେ ଦେଶର ଭାଗ୍ୟ ବଦଳିବ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଆରଏସଏସ୍ ମୁଖ୍ୟ ମୋହନ ଭାଗୱତ ପ୍ରକାଶ କରିଛନ୍ତି। ଶନିବାର ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି।

ଶ୍ରୀ ଭାଗବତ କହିଛନ୍ତି, ହିନ୍ଦୁ ସମାଜରେ ଏକ ସଂଗଠନ ଭାବେ ଠିଆ ହେବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାମ ନୁହେଁ ବରଂ ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ସଂଗଠିତ କରିବା ହେଉଛି ସଂଘର ଉଦ୍ଦେଶ୍ୟ। ୟୁରୋପର ନେଶନ ଷ୍ଟେଟ ଓ ଭାରତର ରାଷ୍ଟ୍ରର କଳ୍ପନା ଭିନ୍ନ ଭିନ୍ନ। ଭାରତ ହଜାର ହଜାର ବର୍ଷ ଧରି ପ୍ରାକୃତିକ ଭାବେ ଏକ ରାଷ୍ଟ୍ର ରୂପେ ରହି ଆସିଛି। ଏହାକୁ ସ୍ୱାଧୀନତା ପୂର୍ବରୁ ସମସ୍ତ ନେତା ସ୍ୱୀକାର କରୁଥିଲେ। ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବଦଳାଇବା ସମ୍ଭବ ନୁହେଁ। ଆବଶ୍ୟକତା ମଧ୍ୟ ନାହିଁ। ତେଣୁ ପ୍ରତ୍ୟେକ ଗାଁ, ସହର ଓ ଗଳିରେ ଏପରି ଚରିତ୍ରବାନ ଲୋକ ନିର୍ମାଣ କରିବାକୁ ପଡ଼ିବ ଯାହା ଠାରୁ ଲୋକ ମାନେ ପ୍ରେରଣା ନେବେ ବୋଲି ସେ କହିଛନ୍ତି।

ଉଲ୍ଲ୍ରେଖ ଯୋଗ୍ୟ ଆସନ୍ତା ୧୬ ତାରିଖରୁ ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଆୟୋଜିତ ହେଉଛି। କାର୍ଯ୍ୟକ୍ରମରେ ଶ୍ରୀ ଭାଗବତଙ୍କ ସହ ସଂଘର ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ, ପ୍ରାନ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହକ ଓ ପ୍ରଚାରକଙ୍କ ସହ ପ୍ରାୟ ୪୦୦ ପ୍ରତିନିଧି ଯୋଗଦେବେ। ଏହି କାର୍ଯ୍ୟକ୍ରମ ୯ ଦିନ ବ୍ୟାପୀ ଚାଲିବ।