ମହାକାଶଯାନରେ ଲାଗିବ ଆରଏସପି ଇସ୍ପାତ

ରାଉରକେଲା,ଏନ୍ଏନ୍ଏସ୍: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଆଗାମୀ ସ୍ୱଦେଶୀ ଜ୍ଞାନକୌଶଳ ସମ୍ପନ୍ନ ମାନବ ସଂଯୁକ୍ତ ମହାକାଶ ଅଭିଯାନ ‘ଗଗନାୟନ’ ପ୍ରକଳ୍ପରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସପି) ପ୍ରସ୍ତୁତ ଇସ୍ପାତ ବ୍ୟବହୃତ ହେବ ବୋଲି କର୍ତ୍ତୃପକ୍ଷ ଏକ ପ୍ରେସବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦.୫ ଟନ୍ ଏମଡିଏନ୍-୨୫୦(ମେରେଜିଙ୍ଗ ଷ୍ଟିଲ) ପ୍ରେରଣ କରାଯାଇଛି। ପ୍ଲେଟ ମିଲରେ ଅନୁଷ୍ଠିତ ଏକ ଉତ୍ସବରେ ଇଡି ଗୌତମ ବାନାର୍ଜୀ ଏହି ଇସ୍ପାତ ଯୋଗାଣ ଟ୍ରକକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ମହାପ୍ରବନ୍ଧକ ଏ କେ ପ୍ରଧାନ, ପିସିସି ବିଭାଗ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ମହାନ୍ତି, କ୍ୱାଲିଟି ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଏ. ଦାସଗୁପ୍ତାଙ୍କ ସମେତ ଅନ୍ୟ ବରିଷ୍ଠ କର୍ମଚାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ମେରେଜିଂ ଷ୍ଟିଲ ହେଉଛି ଏକ ସ୍ୱତନ୍ତ୍ର ମାନର ଷ୍ଟିଲ। ଏଥିରେ ନିକେଲ, କୋବାଲ୍ଟ, ମୋଲିବେଡନିଂ, ଟିଟାନିୟମ ଓ ଆଲୁମିନିୟମର ମିଶ୍ରଣ ଥାଏ। ଏହାକୁ ଭାକ୍ୟୁମ ମେଲଟିଂ ପ୍ରଣାଳୀରେ ପ୍ରସ୍ତୁତ କରାଯାଇଥାଏ। ଲଞ୍ଚ ଭେଇକିଲ, ରକେଟ ମୋଟର କେସିଂ ପ୍ରସ୍ତୁତିରେ ତଥା ପ୍ରତିରକ୍ଷାର ଅନ୍ୟାନ୍ୟ ଆବଶ୍ୟକତା ଏହା ମେଣ୍ଟାଇଥାଏ।

ଏହି ଷ୍ଟିଲ ଚନ୍ଦ୍ରଯାନ-୨ରେ ମଧ୍ୟ ବ୍ୟବହୃତ ହୋଇସାରିଛି। ଏହି ଷ୍ଟିଲ ଇସ୍ରୋର ପିଏସଏଲଭି ଓ ଜିଏସଏଲଭି କାର୍ଯ୍ୟକ୍ରମରେ ଉପଯୋଗ ହୋଇଥାଏ। ପ୍ଲେଟ ଅଦ୍ୟାବଧି ୨୨ଶହ ଟନ ମେରେଜିଙ୍ଗ ଷ୍ଟିଲ ରୋଲିଂ କରି ମେଧାନୀକୁ ଯୋଗାଇ ଦେଇଛି। ପ୍ଲେଟମିଲରେ ଉପରୋକ୍ତ ପ୍ଲେଟ ପ୍ରଥମ ପର୍ଯ୍ୟାୟରେ ରୋଲିଂ ସମୟରେ ମେଧାନୀ, ହାଇଦ୍ରାବାଦ ପ୍ରତିନିଧିଙ୍କ ସମେତ ଇସ୍ରୋର ବୈଜ୍ଞାନିକ ଉପସ୍ଥିତ ଥିଲେ।