ଚଣ୍ଡିଗଡ,ଏଜେନ୍ସି: ପଞ୍ଜାବର ତରନ ତାରନ ସ୍ଥିତ ସରହାଲି ପୋଲିସ ଷ୍ଟେସନ ଉପରେ ରକେଟ ପ୍ରୋପେଲଡ ଗ୍ରେନେଡ୍(RPG) ଆକ୍ରମଣ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଅଜ୍ଞାତ ଦୁର୍ବୃତ୍ତ ଥାନା ଉପରକୁ RPG ନିକ୍ଷେପ କରିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ନାହିଁ । ହେଲେ ଆକ୍ରମଣରେ ପୋଲିସ ଷ୍ଟେସନର ସର୍ଭିସ ସେଣ୍ଟରର କାଚ ଭାଙ୍ଗି ଯାଇଛି । ତେବେ ଏହି ଆକ୍ରମଣ ପଛରେ କିଏ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।
ଯାହା ସୂଚନା ମିଳିଛି, ଅମୃତସର-ବଥିଣ୍ଡା ୫୪ ନଂ ଜାତୀୟ ରାଜପଥରୁ କିଛି ଅଜ୍ଞାତ ଦୁର୍ବୃତ୍ତ ଥାନା ଉପରକୁ ଏହି ରକେଟ ପ୍ରୋପେଲଡ ଗ୍ରେନେଡ ଆକ୍ରମଣ କରିଥିଲେ । ଏଥିରେ ଥାନାର କବାଟ, କାଚ ଭାଙ୍ଗି ଯାଇଛି । ଏହି ଆକ୍ରମଣ ସମ୍ପର୍କରେ ଖବର ପାଇ ତରନ ତାରନ ଏସଏସପିଙ୍କ ନେତୃତ୍ବରେ ଏକ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆରପିଜି ଜବତ କରିଛି ।
କହିରଖୁଛୁ କି, ଏହାପୂର୍ବରୁ ଚଳିତ ବର୍ଷ ମେ’ ୮ରେ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟ ଉପରେ ରକେଟ ପ୍ରୋପେଲଡ ଗ୍ରେନେଡ ମାଡ ହୋଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ । ତେବେ ଏହି ଆକ୍ରମଣ ପଛରେ ଖଲିସ୍ଥାନୀ ଆତଙ୍କବାଦୀ ସଂଗଠନ ବାବର ଖାଲସା ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ରହିଥିବା ପଞ୍ଜାବ ପୋଲିସ ଜଣାଇଥିଲା ।