ମଙ୍ଗଳ ଅଭିମୁଖେ ନାସା ନିର୍ମିତ ରୋଭର୍

ନ୍ୟୁୟର୍କ,ଏଜେନ୍ସି : ଗୁରୁବାର ସକାଳ ୭ଟା ୫୦ ମିନିଟରେ ଫ୍ଲୋରିଡାର କେନ୍ କାନାଭେରାଲରୁ ମଙ୍ଗଳ ଅଭିମୁଖେ ଯାତ୍ରା କରିଛି ନାସା ପ୍ରସ୍ତୁତ ରୋଭର। ନାସା’ର ଏହି ମିଶନକୁ ମାର୍ସ ୨୦୨୦ ନାମ ଦିଆଯାଇଛି। ଉକ୍ତ ମିଶନରେ ସାମିଲ ରୋଭରଟିର ନାମ ‘ପର୍ସେଭେରାନ୍ସ’ ରଖାଯାଇଛି। ମଙ୍ଗଳରେ ଜୀବନ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ତା’ ସହିତ ମଙ୍ଗଳ ପୃଷ୍ଠରୁ ମାଟି ଓ କ୍ଷୁଦ୍ର ଶିଳାମାନ ସଂଗ୍ରହ କରି ରୋଭରଟି ପୃଥିବୀକୁ ଫେରିବ ବୋଲି ଜଣାଯାଇଛି।

ଗୁରୁବାର ସକାଳେ ଫ୍ଲୋରିଡା ଆକାଶ ମେଘାଚ୍ଛନ୍ନ ଥିବାରୁ ନାସା ମହାକାଶବିଜ୍ଞାନୀ ମଣ୍ଡଳୀ ଚିନ୍ତାପ୍ରକଟ କରିଥିଲେ। ପାଣିପାଗର ୮୦ ଭାଗ ଉପଗ୍ରହ ପ୍ରେରଣ ପାଇଁ ଅନୁକୂଳ ଥିବାରୁ ଆମେରିକାର ବାୟୁସେନା ଘାଟି କର୍ତ୍ତୃପକ୍ଷ ରୋଭର ଛାଡ଼ିବାକୁ ଅସୁବିଧା ହେବ ନାହିଁ ବୋଲି ପରାମର୍ଶ ଦେଇଥିଲେ। ଠିକଣା ସମୟରେ ରୋଭରକୁ ଛଡ଼ା ନଗଲେ, ତାହା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ମଙ୍ଗଳରେ ଅବତରଣ କରିପାରିବନି ବୋଲି ନାସା ଅନୁଭବ କରିଥିଲା। ବିଶେଷ କରି ନାସା ନିର୍ମିତ ରୋଭରର କାର୍ଯ୍ୟଧାରା ଉପରେ ବୈଜ୍ଞାନିକମାନେ ଅଧିକ କୌତୂହଳ ପ୍ରକାଶ କରିଛନ୍ତି।

ଗୁରୁବାର ମଙ୍ଗଳ ଅଭିମୁଖେ ଯାତ୍ରାରମ୍ଭ କରିଥିବା ରୋଭରଟି ପ୍ରାୟ ୭ ମାସ ପରେ ୨୦୨୧ ଫେବୃଆରୀ ୧୮ ତାରିଖରେ ମଙ୍ଗଳରେ ଅବତରଣ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି। ପ୍ରାୟ ୧୦ ବର୍ଷ କାଳ ଅକ୍ଲାନ୍ତ ପରିଶ୍ରମ କରି ନାସା ପକ୍ଷରୁ ଅତ୍ୟାଧୁନିକ ରୋଭର ନିର୍ମାଣ କରାଯାଇଛି। ଏହି ରୋଭର ନିର୍ମାଣ ପାଇଁ ବହୁ ଘରୋଇ କମ୍ପାନୀ ପୁଞ୍ଜି ଖଟାଇଛନ୍ତି। କୋଭିଡ୍-୧୯ ସଙ୍କଟ କାଳରେ ମଧ୍ୟ ପୂର୍ବ ଘୋଷଣା ଅନୁଯାୟୀ ନାସା ଗବେଷକ ମଣ୍ଡଳୀ ଠିକଣା ସମୟରେ ମଙ୍ଗଳକୁ ରୋଭର ପଠାଇଥିବାରୁ ଆତ୍ମସନ୍ତୋଷ ଲାଭ କରିଛନ୍ତି। ନାସାର ମଙ୍ଗଳ ମିଶନଟି ୬୮୭ ଦିନ ଭିତରେ ସମ୍ପନ୍ନ ହେବ।