ସାତ ବର୍ଷ ପରେ ଘରକୁ ଫେରିଲା ଝିଅ

ରାଉରକେଲା,ଏନ୍ଏନ୍ଏସ୍: ଶୀତଲପଡ଼ା ବସ୍ତି ପରିବା ବ୍ୟବସାୟୀ ବିପ୍ର ସାହୁଙ୍କ ଝିଅ ଦୀର୍ଘ ୭ ବର୍ଷ ପରେ ଘରକୁ ଫେରିଛି। ୭ ବର୍ଷ ପୂର୍ବେ ରାଉରକେଲାରୁ ନିଖୋଜ ହୋଇଥିବା ନାବାଳିକାକୁ ପୁରୀ ଚାଇଲ୍ଡ ଲାଇନ ଉଦ୍ଧାର କରି ଶିକ୍ଷା ପ୍ରଦାନ କରୁଥିଲେ।
ବିପ୍ରଙ୍କ କହିବା ଅନୁୂସାରେ , ସେ ଟ୍ରାଫିକ ଗେଟ ଅଂଚଳରେ ପରିବା ବ୍ୟବସାୟ କରନ୍ତି। ତାଙ୍କ ଘର ବ୍ରହ୍ମପୁର ପୁରୁଷୋତମପୁର ଗାଙ୍ଗଦେଉଳ। ଦୀର୍ଘ ବର୍ଷରୁ ସେ ରାଉରକେଲାର ରହିଆସୁଛନ୍ତି। ତେବେ ୭ ବର୍ଷ ପୂର୍ବେ ତାଙ୍କ ଦ୍ୱିତୀୟ ଝିଅ ସୁନୀତା(୧୦) ଘର ନିକଟରୁ ନିଖୋଜ ହୋଇଯାଇଥିଲେ। ସୁନୀତାଙ୍କ ମାନସିକ ଅବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ବହୁତ ଖୋଜାଖୋଜି ପରେ ପତା ମିଳି ନଥିଲା। ତେବେ କିଛି ଦିନ ପୂର୍ବରୁ ବିପ୍ରଙ୍କ ପୁତୁରା ସୁନୀତାର ଫଟୋ ନେଇ ପୁରୀର ଏକ ମହିଳା ସମିତି ନିକଟରେ ଛାଡ଼ଆସିଥିଲେ।

ପରେ ଏହାକୁ ମାଧ୍ୟମ କରି ବିପ୍ରଙ୍କ ଠିକଣା ଯୋଗାଡ଼ କରି ଯୋଗାଯୋଗ କରାଯାଇଥିଲା। କିଛି ଦିନ ପୂର୍ବେ ବିପ୍ରଙ୍କୁ ପୁରୀ ଚାଇଲ୍ଡ ଲାଇନ ପକ୍ଷରୁ ଫୋନ ଆସିଥିଲା। ସୁନୀତା ସେମାନଙ୍କ ପାଖରେ ଥିବା ଜଣାଇ ଦିଆଯାଇଥିଲା। କାଳବିଳମ୍ବ ନ କରି ବିପ୍ର ଦୌଡ଼ି ଯାଇଥିଲେ ପୁରୀକୁ । ସେଠାରେ ଝିଅକୁ ପାଇ ଆନନ୍ଦିତ ହୋଇଥିଲେ। ତେବେ ଏହା ମଧ୍ୟରେ ଝିଅ ସୁନୀତା ୧୭ ବର୍ଷରେ ପଦାର୍ପଣ କରିଛି । ପୁରୀ ଚାଇଲ୍ଡ ଲାଇନ ପକ୍ଷରୁ ସୁନୀତାଙ୍କୁ ଶିକ୍ଷାପ୍ରଦାନ କରାଯାଉଥିଲା। ସେ ୧୦ମ ଶ୍ରେଣୀରେ ପଢ଼ୁଛନ୍ତି। ଏପରି ଝିଅକୁ ୭ ବର୍ଷ ପରେ ପାଇ ବିପ୍ର ନିଜ ଖୁସି ଜାହିର କରିଛନ୍ତି। ଅପରପକ୍ଷରେ ରାଉରକେଲା ଚାଇଲ୍ଡ ଲାଇନ ସଦସ୍ୟ ଏ ବିଷୟରେ ଅବଗତ ନ ଥିବା କହିଛନ୍ତି। ସଦସ୍ୟ ରାମଚନ୍ଦ୍ର ବେହେରାଙ୍କୁ ବିପ୍ର ସାହୁ ଫୋନ ଯୋଗେ ଏ ସମ୍ପର୍କରେ କହିଥିଲେ । ପୁରୀ ଚାଇଲ୍ଡ ଲାଇନରୁ କୌଣସି ଔପଚାରିକତା ଭାବେ ସୂଚନା ଆସି ନ ଥିବା ଶ୍ରୀ ବେହେରା କହିଛନ୍ତି।