ରୋନାଲ୍ଡୋ ବିଶ୍ୱର ସର୍ବାଧିକ ଗୋଲ୍ ସ୍କୋରର୍‌

ମାଞ୍ଚେଷ୍ଟର,ଏଜେନ୍ସି: ମାଞ୍ଚେଷ୍ଟର୍ ୟୁନାଇଟେଡ୍‌ର ଷ୍ଟାର୍ ଷ୍ଟ୍ରାଇକର୍ କ୍ରିଷ୍ଟ୍ରିଆନୋ ରୋନାଲ୍ଡୋ ପ୍ରଫେସନାଲ୍ ଫୁଟ୍‌ବଲ୍ ଇତିହାସରେ ସର୍ବାଧିକ ଗୋଲ୍ ସ୍କୋରର୍ ହୋଇଛନ୍ତି। ଶନିବାର ପ୍ରିମିୟର୍ ଲିଗ୍‌ରେ ଟୋଟେନ୍‌ହାମ୍ ବିପକ୍ଷ ମ୍ୟାଚ୍‌ରେ ରୋନାଲ୍ଡୋ ଏହି ଉପଲବ୍ଧି ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ହ୍ୟାଟ୍ରିକ୍ କରିଥିବା ରୋନାଲ୍ଡୋ ପ୍ରଥମ ଗୋଲ୍ (୧୨ଶ ମିନିଟ୍‌) ସ୍କୋର୍ କରି ଅଷ୍ଟ୍ରିଆର ପୂର୍ବତନ ଫୁଟ୍‌ବଲର୍ ଜୋସେଫ୍ ବିକନ୍‌ଙ୍କ ସର୍ବାଧିକ ଗୋଲ୍ (୮୦୫) ରେକର୍ଡ ସମକକ୍ଷ ହୋଇଥିଲେ। ଏହାପରେ ୩୮ ଏବଂ ୮୧ତମ ମିନିଟ୍‌ରେ ଅନ୍ୟ ଦୁଇଟି ଗୋଲ୍ କରି ତାଙ୍କୁ ଟପି ଯାଇଥିଲେ। ଏହା ସହିତ କ୍ଲବ୍ ଏବଂ ଦେଶ ପକ୍ଷରୁ ତାଙ୍କର ମୋଟ ଗୋଲ୍ ସଂଖ୍ୟା ୮୦୭ରେ ପହଞ୍ଚିଥିଲା।

ଶନିବାରର ହ୍ୟାଟ୍ରିକ୍ ପର୍ତ୍ତୁଗାଲ୍‌ର ଏହି ମହାନ୍ ଖେଳାଳିଙ୍କ କ୍ଲବ୍ କ୍ୟାରିୟର୍‌ର ୪୯ତମ ହ୍ୟାଟ୍ରିକ୍ ଥିଲା। ସେହିପରି ପ୍ରିମିୟର୍ ଲିଗ୍ ଇତିହାସରେ ହ୍ୟାଟ୍ରିକ୍ ଗୋଲ୍ କରିବାରେ ସେ ଦ୍ୱିତୀୟ ବୟସ୍କ ଖେଳାଳି ମଧ୍ୟ ହୋଇଛନ୍ତି। ରୋନାଲ୍ଡୋ ୩୭ ବର୍ଷ ୩୫ ଦିନରେ ଏହି ଗୋଲ୍ କରିଥିବା ବେଳେ ପୂର୍ବରୁ ଟେଡି ଶୋରିଙ୍ଘମ୍ ୨୦୦୩ ଅଗଷ୍ଟରେ ୩୭ ବର୍ଷ ୧୪୬ ଦିନ ବୟସରେ ହ୍ୟାଟ୍ରିକ୍ କରିଥିଲେ। ଏହି ମ୍ୟାଚ୍‌ରେ ମାଞ୍ଚେଷ୍ଟର୍ ୟୁନାଇଟେଡ୍ ୩-୨ ଗୋଲ୍‌ରେ ଟୋଟେନ୍‌ହାମ୍‌କୁ ହରାଇ ଦେଇଥିଲା। ଏହା ପ୍ରିମିୟର୍ ଲିଗ୍ ଇତିହାସରେ ମାଞ୍ଚେଷ୍ଟର୍ ୟୁନାଇଟେଡ୍‌ର ହୋମ୍ ଗ୍ରାଉଣ୍ଡ୍‌ରେ ୪୦୦ତମ ବିଜୟ ଥିଲା।